ବିବାହ ମଣ୍ଡପରେ ଗଣ୍ଡଗୋଳ : କନ୍ୟାଙ୍କ ଭାଇକୁ ପ୍ରାଣାନ୍ତକ ଆକ୍ରମଣ

ଧଉଳି : ବୁଧବାର ରାତିରେ ଧଉଳି ଥାନା ଅନ୍ତର୍ଗତ ନୂଆଗାଁରେ ଏକ ବିବାହ ମଣ୍ଡପ ନିକଟରେ ଶିଶୁପାଳଗଡ଼ ଅଞ୍ଚଳର କିଛି ଯୁବକଙ୍କ ମାଡ଼ରେ କନ୍ୟାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାମ ବିଶ୍ୱଜିତ୍‌ ବରାଳ। ବିଶ୍ୱଜିତ୍‌ଙ୍କ ଶରୀରରେ ଗଭୀର ଆଘାତ ଲାଗିବା ସହ ମୁହଁ ଫାଟିଯାଇଛି। ଚିକିତ୍ସା ଲାଗି ତାଙ୍କୁ ବିଏମ୍‌ସି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ଏ ସଂପର୍କରେ ବିଶ୍ୱଜିତ୍‌ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ଥାନାରେ କେସ୍‌ ନଂ ୧୩୧/୧୭ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ହେବାର ଏହା ମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ହେଁ ପୁଲିସ ସେମାନଙ୍କୁ ଗିରଫ କରି ପାରିନି। ଏ ନେଇ ବିଶ୍ୱଜିତଙ୍କ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୁଲିସ ସୂଚନାନୁଯାୟୀ ଏଠାରେ ଥିବା ମଣ୍ଡପରେ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ବିଶ୍ୱଜିତ୍‌ଙ୍କ ଭଉଣୀର ବାହାଘର ହେଉଥିଲା। ଶିଶୁପାଳଗଡ଼ ଅଞ୍ଚଳର ୧୦ ଜଣ ଯୁବକ ପ୍ରଥମେ ସେଠାରେ ପହଞ୍ଚି ତାଙ୍କୁ କିଛି ପଚାରିଥିଲେ। ହେଲେ ବାହାଘର କାର୍ଯ୍ୟରେ ବ୍ୟସ୍ତ ଥିବାରୁ ବିଶ୍ୱଜିତ୍‌ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଯୁବକମାନେ ତାଙ୍କୁ ମାଡ଼ମାରି ବେହୋସ୍‌ କରି ଦେଇଥିଲେ। ହେଲେ ଏତିକିରେ ସେମାନଙ୍କ ରାଗ ଥମି ନଥିଲା। ଉତ୍ତ୍ୟକ୍ତ ଯୁବକମାନେ ବାହା ବେଦି ଓ ଟେଣ୍ଟ ଭଙ୍ଗାରୁଜା କରିବା ସହ ଜିନିଷପତ୍ର ଫିଙ୍ଗାଫୋପଡ଼ା କରିଥିବା ଅଭିଯୋଗ ହୋଇଛି। ହେଲେ ଉପସ୍ଥିତ ଲୋକ ଏହାର ଦୃଢ଼ ବିରୋଧ କରିବାରୁ ସେମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲା।

ସମ୍ବନ୍ଧିତ ଖବର