ଭତ୍ତା ନଦେବାରୁ ପିଇଓଙ୍କୁ ମାଡ଼, ଯୁବକ ଗିରଫ

ଭୁବନେଶ୍ୱର: ଭତ୍ତା ନଦେବାରୁ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମାରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବରିମୁଣ୍ଡ ଅଞ୍ଚଳର ବିଶ୍ୱଜିତ ପତି(୩୩)। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମରେ ବରିମୁଣ୍ଡ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ସେଠୀ କାର୍ଯ୍ୟରତ ଥିବା ସମୟରେ ବିଶ୍ୱଜିତ ନିଶାସକ୍ତ ଅବସ୍ଥାରେ ଅଫିସ୍‌ ଭିତରକୁ ପଶି ଯାଇଥିଲା। ଆଉ ମୋତେ ଭତ୍ତା ଦିଅ ବୋଲି କହି ଅଫିସ କବାଟ ସମ୍ମୁଖରେ ବସି ଗାଳିଗୁଲଜ କରିଥିଲା। ଏହାଛଡ଼ା ଅଫିସର କେତେକ ଜିନିଷପତ୍ର ଫୋପାଡ଼ି ଦେଇଥିଲା। ବିଶ୍ୱଜିତର ଏଭଳି କାଣ୍ଡ ଦେଖି ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ଶ୍ରୀ ସେଠୀ ବିଶ୍ୱଜିତକୁ ବୁଝାସୁଝା କରିଥିଲେ ମଧ୍ୟ ବିଶ୍ୱଜିତ ନବୁଝି ପାଲଟା ଆକ୍ରମଣ କରିବା ସହ ଅଫିସ୍‌ରେ ହଙ୍ଗାମା କରିଥିଲା। ଅନ୍ୟ କର୍ମଚାରୀମାନେ ତୁରନ୍ତ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଶ୍ୱଜିତକୁ ଗିରଫ କରି ଥାନାକୁ ଆଣିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ବିଶ୍ୱଜିତକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର