ଶୋଇବାବସ୍ଥାରେ ପ୍ରାଣାନ୍ତକ ଆକ୍ରମଣ ମାମଲା : ସ୍ତ୍ରୀଙ୍କ ଉପରୁ ସନ୍ଦେହ ହଟିଲା 

ଖଣ୍ଡଗିରି : ସ୍ଥାନୀୟ ଗଣ୍ଡମୁଣ୍ଡା ଛକସ୍ଥିତ ତାରିଣୀ ବସ୍ତିରେ ସନ୍ନ୍ୟାସୀ ବେହେରାଙ୍କୁ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ମାମଲାରେ ସମ୍ପୃକ୍ତ ଅପରାଧୀମାନଙ୍କ ଟେର୍‌ ପାଇନି ପୁଲିସ। ତାଙ୍କୁ ଶୋଇବା ଅବସ୍ଥାରେ କିଏ କାହିଁକି ହତ୍ୟା ଉଦ୍ୟମ କରିଛି, ତାହା ଏବେ ବି ଅସ୍ପଷ୍ଟ ହୋଇ ରହିଛି। ଖଣ୍ଡଗିରି ଥାନା ପୁଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଥିଲେ ବି ଏହି ଅଡ଼ୁଆ ସୂତାର ଖିଅ ପାଇନଥିବା ଜଣାପଡ଼ିଛି। ଏବେ ବି ହସ୍ପିଟାଲରେ ସଂଜ୍ଞାହୀନ ଅବସ୍ଥାରେ ଥିବାରୁ ପୁଲିସ ସନ୍ୟାସୀଙ୍କଠାରୁ କୌଣସି ତଥ୍ୟ ହାସଲ କରିପାରିନାହିଁ। ତେବେ ଏହି ମାମଲାରେ ସନ୍ୟାସୀଙ୍କ ସ୍ତ୍ରୀ ଓ ପୁଅଙ୍କୁ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା, ତାହା ଦୂର ହୋଇଛି। ଆଜି ସନ୍ୟାସୀଙ୍କ ସ୍ତ୍ରୀ ଓ ପୁଅ ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କ ଉପରୁ ପୁଲିସର ସନ୍ଦେହ ହଟି ଯାଇଛି।

ଗୁରୁବାର ସକାଳୁ ପୁଲିସ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସନ୍ନ୍ୟାସୀଙ୍କୁ ତାଙ୍କ ଶୋଇବା ଘରୁ ଉଦ୍ଧାର କରିଥିଲା। ଅର୍ଥାତ୍‌ ବୁଧବାର ବିଳମ୍ବିତ ରାତିରେ କେହି ସନ୍ନ୍ୟାସୀଙ୍କୁ ତାରିଣୀ ବସ୍ତିସ୍ଥିତ ତାଙ୍କ ଶୋଇବା ଘରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ପୁଲିସ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଭୁବନେଶ୍ୱର ଏମ୍‌ସରେ ଭର୍ତି କରିଥିଲା ଓ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କିଛିଟା ସୁଧାର ଆସିଥିଲେ ବି ସେ କଥା କହିପାରୁନଥିଲେ। ଏଭଳି ପରିସ୍ଥିତିରେ ପୁଲିସ ତାଙ୍କଠାରୁ କୌଣସି ତଥ୍ୟ ପାଇପାରିନଥିଲା। ଏଣେ ଘଟଣା ସମୟରେ ସନ୍ନ୍ୟାସୀଙ୍କ ସ୍ତ୍ରୀ ଓ ପୁଅ ଘରେ ନଥିବାରୁ ସାଧାରଣରେ ବିଭିନ୍ନ ସନ୍ଦେହ ଉଠିଥିଲା। ମାତ୍ର ଖବର ପାଇ ଆଜି ଉଭୟ ମା’ ପୁଅ ଏମ୍‌ସରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କୁ ପଚରାଉଚରା କରିଥିଲା। ଘର କାମ ପାଇଁ ସେମାନେ ପ୍ରାୟ ମାସେ ହେଲା ଗାଁରେ ରହୁଥିଲେ। ସେମାନଙ୍କ ଭିତରେ କୌଣସି ପାରିବାରିକ ବିବାଦ ନଥିଲା। ତେବେ ସନ୍ୟାସୀଙ୍କ ସହ କାହାର ଶତ୍ରୁତା ଥିଲା, ତାହା ଉପରେ ବି ତାଙ୍କ ସ୍ତ୍ରୀ କିଛି କହିପାରିନାହାନ୍ତି। ତାଙ୍କୁ ହତ୍ୟା କରିବାକୁ ଏଭଳି ଆକ୍ରମଣ ହୋଇଥିବାରୁ ଅନ୍ତରାଳରେ କେହି ଜଣେ ବଡ଼ ଶତ୍ରୁ ଥିବା ସ୍ପଷ୍ଟ ହୋଇଥିଲେ ବି ସନ୍ନ୍ୟାସୀଙ୍କ ସ୍ତ୍ରୀଙ୍କଠାରୁ ପୁଲିସ କୌଣସି ଠୋସ୍‌ ତଥ୍ୟ ପାଇନାହିଁ। ବସ୍ତି ଭିତରେ ଏଭଳି ଏକ ଅଘଟଣ ଘଟିଗଲା, ଅଥଚ କେହି ଜାଣି ପାରିନଥିବା କଥାଟି ମଧ୍ୟ ପୁଲିସକୁ ଅଡ଼ୁଆରେ ପକାଉଛି। ଅର୍ଥାତ୍‌ ଆକ୍ରମଣକାରୀ ବିଳମ୍ବିତ ରାତିରେ ବା ଭୋର୍‌ ସମୟରେ ଏହି କାଣ୍ଡ ଘଟାଇ ଫେରାର୍‌ ହୋଇଯାଇଛି ବୋଲି ଅନୁମାନ କରାଯାଉଛି। ଆକ୍ରମଣକାରୀକୁ ନିଜେ ସନ୍ନ୍ୟାସୀ ଭଲ ଭାବେ ଜାଣିଥିବା କୁହାଯାଉଛି। ତେଣୁ ତାଙ୍କ ସଂଜ୍ଞା ଫେରିବା ପରେ ଅପରାଧୀ ଧରାପଡ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର