ଶୋଇବା ଅବସ୍ଥାରେ ପ୍ରାଣାନ୍ତକ ଆକ୍ରମଣ: ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକ ଉଦ୍ଧାର

ମା, ପୁଅଙ୍କ ଅନୁପସ୍ଥିତିକୁ ନେଇ ସନ୍ଦେହ

ସନ୍ନ୍ୟାସୀଙ୍କୁ ଆଜି ପୁଲିସ ତାଙ୍କ ନିଜ ଘରୁ ଉଦ୍ଧାର କରିଥିଲେ ବି ତାଙ୍କ ସ୍ତ୍ରୀ ଓ ପୁଅଙ୍କ ଦେଖା ମିଳି ନଥିଲା। ଏମିତିକି ପୁଲିସ କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ୱର ଏମ୍‌ସ ପର୍ଯ୍ୟନ୍ତ ନେଇ ସାରିବା ପରେ ବି ସେମାନଙ୍କ କୌଣସି ଖୋଜଖବର ନାହିଁ। ବସ୍ତିବାସିନ୍ଦାମାନେ ମଧ୍ୟ ପୁଲିସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିବା ଜଣାପଡ଼ିଛି। କିଏ ସନ୍ନ୍ୟାସୀଙ୍କୁ ଏଭଳି ଆକ୍ରମଣ କରିଛି, ତାହା ରହସ୍ୟ ହୋଇ ରହିଛି। ତେବେ ଏହି କାଣ୍ଡ ପଛରେ ଯାହାର ବି ହାତ ରହିଛି, ସେମାନେ ସନ୍ନ୍ୟାସୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ସ୍ପଷ୍ଟ ହୋଇଛି। ଶୋଇବା ଅବସ୍ଥାରେ ତାଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ଖଣ୍ଡଗିରି: ଗୁରୁବାର ସକାଳେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ତାରିଣୀ ବସ୍ତିସ୍ଥିତ ଏକ ଘରୁ ଜଣେ ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛି। ଆହତ ଯୁବକ ହେଲେ ଗଞ୍ଜାମ ଅଞ୍ଚଳର ସନ୍ନ୍ୟାସୀ ବେହେରା(୪୦)। ତାରିଣୀ ବସ୍ତିରେ ରହି ଶ୍ରମିକଭାବେ କାମ କରୁଥିବା ସନ୍ୟାସୀଙ୍କୁ କିଏ ଏଭଳି ମରଣାନ୍ତକ ଆକ୍ରମଣ କରିଛି, ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଛାନ୍‌ଭିନ୍‌ ଜାରି ରଖିଛି ଓ ଖୁବ୍‌ ଶୀଘ୍ର ଏହି ମାମଲାର ପର୍ଦାଫାସ ହେବ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ସୂଚନାନୁସାରେ ସନ୍ୟାସୀ ତାଙ୍କ ସ୍ତ୍ରୀ ଓ ପୁଅକୁ ନେଇ ଏହି ବସ୍ତିରେ ରହୁଥିଲେ। ଆଜି ସକାଳୁ ବସ୍ତିବାସିନ୍ଦାମାନେ ତାଙ୍କ ଘର ଭିତରୁ ରକ୍ତ ବାହାରୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦେଖିବାବେଳକୁ ଘରେ ଅନ୍ୟ କେହି ନଥିଲେ ଓ କେବଳ ସନ୍ନ୍ୟାସୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣ ଉପରେ ପଡ଼ି ରହିଥିଲେ। ସଂଜ୍ଞାହୀନ ଅବସ୍ଥାରେ ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଏମ୍‌ସରେ ଭର୍ତି କରାଯାଇଥିଲା। ତାଙ୍କ ଅବସ୍ଥାରେ କିଛିଟା ସୁଧାର ଆସିଥିବା ଜଣାପଡ଼ିଛି। ମାତ୍ର ସେ କଥା କହିବା ଅବସ୍ଥାରେ ନ ଥିବାରୁ ତାଙ୍କଠାରୁ କୌଣସି ସୂଚନା ମିଳିପାରିନାହିଁ।

ସମ୍ବନ୍ଧିତ ଖବର