ବଟି ନଦେବାରୁ ଯୁବକଙ୍କୁ କଟୁରିରେ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବଟି ନ ଦେବାରୁ ଯୁବକଙ୍କୁ କଟୁରିରେ ଆକ୍ରମଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ନୟାଗଡ଼ ଜିଲ୍ଲା ରାଜରଣପୁର ଅଞ୍ଚଳର ମନୋରଞ୍ଜନ ଖଟେଇ ଓରଫ ତପନ (୩୦)। ଏଠାରେ ୟୁନିଟ୍‌-୨ ସ୍ଥିତ ମାର୍କେଟ ବିଲ୍‌ଡିଂରେ ବ୍ୟବସାୟ କରେ। ଗତ ୩୦ ତାରିଖ ସନ୍ଧ୍ୟାରେ ମୁସ୍ତାକ ଅଲ୍ଲୀ ନାମକ ଜଣେ ଯୁବକ ସପିଂ ପାଇଁ ଆସିଥିବା ବେଳେ ବାଇକ୍‌କୁ ତପନ ଦୋକାନ ନିକଟରେ ରଖିଥିଲେ। ତେବେ ସେ ଫେରିବା ବେଳକୁ କେହି ତାଙ୍କ ବାଇକ୍‌ ନେଇଯାଇଥିଲା। ପରଦିନ ଅପରାହ୍ଣ ପ୍ରାୟ ୨ଟାରେ ମୁସ୍ତାକ ଏବଂ ତାଙ୍କର ଜଣେ ସହଯୋଗୀ ଦୋକାନ ନିକଟକୁ ଆସି ଗାଡ଼ି ଖୋଜାଖୋଜି କରିବା ସହ ଅଖପାଖ ଦୋକାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିିଥିଲେ। ଏହି ସମୟରେ ତପନ ସେମାନଙ୍କୁ ବଟି ମାଗିଥିଲା। କହିଥିଲା ମୋର ସବୁ ଚୋର ଚିହ୍ନା। ଚୁଟ୍‌କିରେ ଗାଡ଼ି ମିଳିଯିବ। ପ୍ରଥମେ ମୋତେ ୫ହଜାର ଟଙ୍କା ଦିଅ। ହେଲେ ଟଙ୍କା କାହିଁକି ଦେବୁ ବୋଲି ମୁସ୍ତାକ ତପନକୁ ପଚାରିବାରୁ ସେ ଗାଳିଗୁଲଜ କରିବା ସହିତ କଟୁରି ଧରି ଗୋଡ଼ାଇଥିଲା। ଜୀବନ ବିକଳରେ ଉଭୟ ଥାନାକୁ ଦୌଡ଼ି ପଳାଇଥିଲେ। ଏନେଇ ତପନ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତପନକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର