ଅଟୋ ଚାଳକଙ୍କ ବନ୍ଧୁକ ବେପାର

ଖଣ୍ଡଗିରି: ଉପରକୁ ଅଟୋଚାଳକ। କିନ୍ତୁ ଭିତରେ ଅସଲ ବେପାର ଥିଲା ବନ୍ଧୁକ କାରବାର। ମାତ୍ର ୩/୪ ହଜାର ଟଙ୍କାରେ ଦେଶୀ ପିସ୍ତଲ କିଣି ୨୦ରୁ ୩୦ ହଜାର ଟଙ୍କାରେ ବିକ୍ରି କରୁଥିଲା। ଗୁରୁବାର ରାତିରେ ଖଣ୍ଡଗିରି ଥାନା ପୁଲିସ ଏମିତି ଜଣେ ଛଦ୍ମବେଶୀ ବନ୍ଧୁକ ବେପାରୀକୁ ଠାବ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲେ ପୁରୀ ଜିଲ୍ଲା ନିମାପଡ଼ା ଥାନା ବଉଳପଡ଼ାର ମୁସ୍ତାକ୍ ଅଲ୍ଲୀ(୩୮)। ପୁଲିସ ତା’ଠାରୁ ଏକ ଦେଶୀ ସିଙ୍ଗଲ୍‌ ସଟ୍‌ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି। ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୁଲିସ କହିଛି।
ସୂଚନାନୁସାରେ ଗୁରୁବାର ରାତି ପ୍ରାୟ ୯ଟାବେଳେ ୨ ଜଣ ବନ୍ଧୁକ ବେପାରୀ ଗଣ୍ଡମୁଣ୍ଡା ଛକରେ ଗ୍ରାହକ ଅପେକ୍ଷାରେ ଥିବା ନେଇ ଖଣ୍ଡଗିରି ଥାନା ପୁଲିସକୁ ଏକ ଖବର ମିଳିଥିଲା। ସାଦା ପୋଷାକରେ ପୁଲିସ ଟିମ୍‌ ସେଠି ପହଞ୍ଚିବାବେଳକୁ ସ୍ଥାନୀୟ ତାଳବଣିଆ ରାସ୍ତାରେ ଏକ ଅଟୋ(ଓଡି୦୨ବିଏ-୩୩୪୬) ସନ୍ଦେହଜନକ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ତେବେ ପୁଲିସ ଆସିଥିବା ଜାଣିପାରି ଉକ୍ତ ଅଟୋଟି ସେଠାରୁ ଖସି ପଳାଇବାକୁ ବସିଥିଲା। ମାତ୍ର କିଛି ଦୂର ଗୋଡ଼ାଇବା ପରେ ପୁଲିସ ଟିମ୍‌ ତାକୁ ଘେରି ଯାଇଥିଲା। ଅଟୋରେ କେବଳ ମୁସ୍ତାକ୍ ହିଁ ଥିଲା। ଅନ୍ୟଜଣଙ୍କ ସେଠାରୁ ଚମ୍ପଟ ମାରିଥିବା ପୁଲିସ ସନ୍ଦେହ କରୁଛି। ସେ ନୟାଗଡ଼, ରଣପୁର ଓ ଖୋର୍ଧା ଅଞ୍ଚଳରୁ ଏହି ବନ୍ଧୁକ କିଣି ରାଜଧାନୀରେ ବିକୁଥିବା ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର