ଅଟୋ ଭିତରେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ

ଧଉଳି: ଆଜି ସଂଧ୍ୟା ପ୍ରାୟ ୫ଟା ସମୟରେ ଧଉଳି ଥାନା ଅଧୀନ ଧଉଳି ଛକ ନିକଟରେ ଜଣେ ଅଟୋ ଚାଳକ ଅଟୋ ଭିତରେ ଜଣେ କଲେଜ ଛାତ୍ରୀଙ୍କୁ ଅସଦାଚରଣ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଦୁର୍ବ୍ୟବହାରର ଶିକାର ହୋଇଥିବା ଛାତ୍ରୀ ଜଣକ ଏ ନେଇ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଗ୍ରହଣ କରି ପୁଲିସ ଅଟୋ ଚାଳକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ଭୁବନେଶ୍ୱର ପଟିଆ ଅଞ୍ଚଳରେ ରହୁଥିବା ଏହି ଛାତ୍ରୀଙ୍କ ଘର ବାଲିପାଟଣା ଥାନା ଅଞ୍ଚଳରେ। ସେ ଆଜି ଅପରାହ୍ନରେ ବିଶୁନିଆପଡ଼ା ଗ୍ରାମର ଅଟୋ ଚାଳକ ଗଣେଶ ଭୋଇ (୨୭) ଙ୍କ ଅଟୋରେ ବସି ପଟିଆ ଅଭିମୁଖେ ଯାଉଥିଲେ। ହେଲେ ଗଣେଶ ଧଉଳି ଛକ ନିକଟରେ ଅଟୋ ଅଟକାଇ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିବା ସହ ଅସଦାଚରଣ ଉଦ୍ୟମ କରିଥିଲା।
ଯୁବତୀ ଜଣକ ଥାନାରେ କରିଥିବା ଅଭିଯୋଗ ମୁତାବକ ଗଣେଶ ତାଙ୍କୁ ତା’ ସହ ମାର୍କେଟ ଯିବା ପାଇଁ ବାଧ୍ୟ କରିବା ସହିତ ଅଟୋ ଭିତରେ ଟଣାଓଟରା କରିଥିଲା। ହେଲେ ସେ କୌଶଳକ୍ରମେ ସେଠାରୁ ଖସି ଆସି ଧଉଳି ଥାନାରେ ପହଞ୍ଚିଥିଲେ ଏବଂ ପୁଲିସ ଆଗରେ ସବୁ କଥା ବର୍ଣ୍ଣନା କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଭିଯୁକ୍ତ ଅଟୋଚାଳକ ଗଣେଶ ଭୁବନେଶ୍ୱର ସହିଦନଗର ଥାନା ଅଧୀନରେ ଜଣେ ଗୃହରକ୍ଷୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ପିସିଆର ଭ୍ୟାନ ଚଳାଉଥିବା ଧଉଳି ଥାନାର ଜଣେ ପୁଲିସ କର୍ମଚାରୀ କହିଛନ୍ତି ।

ସମ୍ବନ୍ଧିତ ଖବର