ଭୁବନେଶ୍ୱର : ଭଡାରେ ଅଟୋ ନେଲେ, ବାଟରେ ମାଡ଼ ମାରି ଲୁଟିଲେ
ଭୁବନେଶ୍ୱର : ଅଟୋ ଭଡାରେ ନେଲେ। ବାଟରେ ଚାଳକକୁ ମାଡ଼ ମାରି ଲୁଟିଲେ। ଧମକ ଦେଇ ଫେରାର ହେଇଗଲେ। ଲହୁଲୁହାଣ ଚାଳକକୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଲେ। ଏହା କେଉଁ ଉପାନ୍ତ ଅଞ୍ଚଳ କିମ୍ବା ରାତି ଅଧରେ ନୁହେଁ, ବରଂ ଖୋଦ ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ଏଭଳି ଘଟଣା ଘଟିଛି। ଏନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଡେଲାଙ୍ଗର ନୀଳକଣ୍ଠ ବେହେରା ସ୍ଥାନୀୟ ବିଶେଶ୍ୱର ବସ୍ତିରେ ରହି ଅଟୋ ଚଳାଇ ପରିବାର ପୋଷନ୍ତି। ଆଜି ୩ଟା ୩୦ମିନିଟ ବେଳେ ୪ଜଣ ଯୁବକ ଆଚାର୍ଯ୍ୟ ବିହାରରୁ କିଟ ଯିବାପାଇଁ ଅଟୋ ବୁକ କଲେ। ସୈନିକ ସ୍କୁଲ ଦେଇ ଓମ୍ଫେଡ଼୍ ଛକରେ ବାହାରିବା ପାଇଁ ଅଟୋ ଯାଉଥିବା ବେଳେ ସ୍କୁଲ ଫାଟକ ସାମ୍ନାରେ ସେମାନେ ପଛରୁ ଚାଳକ ନୀଳକଣ୍ଠଙ୍କୁ ଅତର୍କିତ ଆକ୍ରମଣ କଲେ। ହାତରେ ପିନ୍ଧିଥିବା ଷ୍ଟିଲ ଖଡୁ ରେ ଆକ୍ରମଣ କରିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ସେ ତୁରନ୍ତ ଗାଡି ରଖିଦେବାରୁ ଅଭିଯୁକ୍ତ ମାନେ ଓହ୍ଲାଇ ପଡି ତାଙ୍କୁ ଟାଣି ଆଣିଥିଲେ। ଚାରିଜଣ ଘେରି ଯାଇ ଗୋଇଠା ଓ ମୁଥ ମାରିବାରୁ ସେ ତଳେ ପଡିଗଲେ। ଏହାର ସୁଯୋଗ ନେଇ ସେମାନେ ୫ହଜାର ୬ଶହ ଟଙ୍କା ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଛକି ରହିଥିବା ଏକ ଚାରିଚକିଆ ଗାଡିରେ ସେହି ଦୁର୍ବୃତ୍ତମାନେ ଖସି ପଳାଇଥିଲେ।