ବାସୁଆଘାଇ ଲୁଟ୍‌ପାଟ୍‌ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଗୁଳି ଜବତ

ଭୁବନେଶ୍ବର: ସହିଦନଗର ଥାନା ଅଧୀନ ବାସୁଆଘାଇ ଅଞ୍ଚଳର ରାମକୃଷ୍ଣ ମହାକୁଡ଼ଙ୍କ ଘରେ ପଶି ଡକାୟତି ଘଟଣାରେ ପୁଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଞ୍ଚଳର ପ୍ରଦୋଷ ପଟ୍ଟନୟକ ଓରଫ ଗୁଡ଼ୁ(୨୨)। ପୁଲିସ ତା ନିକଟରୁ ଗୋଟିଏ ବନ୍ଧୁକ, ଗୁଳି ଓ ବାଇକ୍‌ ଜବତ କରିଛି। ଏହି ଘଟଣାରେ ପୁଲିସ ଗୁଡ଼ୁକୁ ମିଶାଇ ୪ଜଣଙ୍କୁ ଗିରଫ କରିସାରିଲାଣି। ପୂର୍ବରୁ ସୂର୍ଯ୍ୟମଣି ଦାସକୁ ଗିରଫ କରିଥିବା ବେଳେ ବୁଧବାର ମାନସ ଲେଙ୍କା ଓରଫ ମୁନା ଓ ରଂଜନ କୁମାର ପୃଷ୍ଟିକୁ ଗିରଫ କରିଥିଲା। ପୁଲିସ ସୂଚନା ଅନୁଯାୟୀ, ମାର୍ଚ୍ଚ ୧୮ତାରିଖରେ ସୂର୍ଯ୍ୟମଣି, ମୁନା ଓ ଗୁଡ଼ୁ ବାସୁଆଘାଇର ରାମକୃଷ୍ଣ ମହାକୁଡ଼ଙ୍କ ଘରେ ପଶି ୫୦ ହଜାର ଟଙ୍କା, ମୋବାଇଲ ଓ ସୁନା ଗହଣା ନେଇ ପଳାଉଥିଲେ। ରାତି ପ୍ରାୟ ୧୦ଟା ବେଳେ ପରିବାର ଲୋ‌େକ‌ ଘରକୁ ଫେରି ଉଭୟଙ୍କୁ ଚୋରି କରୁଥିବା ଦେଖି ପାଟି କରିବାରୁ ସେମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ଧରିବାକୁ ଉଦ୍ୟମ କଲା ବେଳେ ରାମକୃଷ୍ଣ ଓ ସୂର୍ଯ୍ୟମଣିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କୌଣସି ମତେ ସୂର୍ଯ୍ୟମଣି ଖସି ଯାଇଥିଲେ ହେଁ ସେ ଆଣିଥିବା ବାଇକ୍‌ (ଚୋରା ଆପାଚି) ଛାଡ଼ି ଯାଇଥିଲା। ଏହା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କଟକ ଶିଖରପୁର ଅଞ୍ଚଳରୁ ସୂର୍ଯ୍ୟମଣିକୁ ଗିରଫ କରିବା ପରେ ତା’ଠାରୁ ସୂଚନା ପାଇ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଥିଲା। ତେ‌େବ‌ ଆଜି ଗୁଡ଼ୁ କେଶୁରା ଅଞ୍ଚଳରେ ଥିବା ଖବରପାଇ ପୁଲିସର ଏକ ଟିମ୍‌ ତାକୁ ଗିରଫ କରିଥିଲା। ପ୍ରକାଶ ଥାଉ କି, ଗୁଡ଼ୁ ନାଁରେ ବାଦାମବାଡ଼ି, ମଙ୍ଗଳାବାଗ୍‌, ଲାଲ୍‌ବାଗ, ବାରଙ୍ଗ, କନ୍ଦରପୁର, ଚାଉଳିଆଗଞ୍ଜ, ମଧୁପାଟଣା ଆଦି ଥାନାରେ ୧୫ରୁ ଅଧିକ ଆପରାଧିକ ମାମଲା ରହିଛି। ତେବେ ଗୁଡ଼ୁର ଉପଦ୍ରବ ଚାଉଳିଆଗଞ୍ଜ ଅଞ୍ଚଳରେ ଅଧିକ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର