ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାକୁ ଟ୍ରେନରୁ ଫିଙ୍ଗିଲା ଡାକ୍ତର ପ୍ରେମିକ

ବେଲଗାବି : କିଛି ଦିନ ପ୍ରେମ ସଂପର୍କରେ ରହିବା ପରେ ବିବାହର ସ୍ୱପ୍ନ ସମସ୍ତେ ଦେଖି ଥାଆନ୍ତି । କିନ୍ତୁ ଏହି ସ୍ୱପ୍ନ ଦେଖିବା ବେଲଗବି ଡ଼ାକ୍ତରଖାନାରେ କାମ କରୁଥିବା ଏହି ନର୍ସଙ୍କୁ କାଳ ହୋଇଛି । କିଛି ଦିନ ପ୍ରେମ ସଂପର୍କରେ ରହିବା ପରେ ନିଜ ପ୍ରେମିକକୁ ବିବାହ କରିବା ପାଇଁ ଚାହିଁବାରୁ ତାଙ୍କୁ ହତ୍ୟା କରାଯାଇଛି । ବାରମ୍ବାର ବିବାହ କଥା କହୁଥିବାରୁ ମୃତ ପୁନମଙ୍କ ପ୍ରେମିକ ଡ଼ାକ୍ତର ସୁନିଲ ଚୌହାନ ତାଙ୍କୁ ବୁଲାଇବାକୁ ନେଇ ଟ୍ରେନରୁ ଠେଲି ଦେଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ପୁଲିସ ପୁନମଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ପରେ ସୁନିଲଙ୍କୁ ଗିରଫ କରିଛି ।

ସୂଚନା ମୁତାବକ, ବେଲଗବି ଡ଼ାକ୍ତରଖାନାରେ ଜଣେ ନର୍ସ ଭାବେ କାମ କରୁଥିବା ପୁନମଙ୍କୁ ସେହି ଡ଼ାକ୍ତରଖାନାର ଜଣେ ସୁନିଲ ଚୌହାନ ନାମକ ଡ଼ାକ୍ତରଙ୍କ ସହ ପ୍ରେମ ହୋଇ ଯାଇଥିଲା । ଦୁହେଁ ଦୁହିଁଙ୍କୁ ଭଲ ପାଇବା ସହ ପୁନମ ସୁନିଲ୍‌ ସାଥୀରେ ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖିଥିଲେ । ଏହି କଥା ଦିନେ ସେ ସୁନିଲଙ୍କୁ ଜଣାଇବାରୁ ଆମ ଦୁଇ ଜଣଙ୍କର ଜାତି ଅଲଗା ଏବଂ ଆମେ କେବେ ବିବାହ କରି ପାରିବା ନାହିଁ ବୋଲି ସୁନିଲ କହିଥିଲେ । ପୁନମ ସୁନିଲଙ୍କୁ ବିବାହ ପାଇଁ ବାଧ୍ୟ କରିବା ସହ ଥରୁ ଟିଏ ଘରେ କଥା ହୁଅ ବୋଲି କହିଥିଲେ । ପୁନମ ବାରମ୍ବାର ବିବାହ କଥା କହୁଥିବାରୁ ରାଗି ଯାଇ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ସୁନିଲ ତାଙ୍କ ଭାଇ ସହ ହତ୍ୟାର ଯୋଜନା କରିଥିଲେ । ମାର୍ଚ୍ଚ ୧୫ରେ ପୁନମଙ୍କୁ ଗୋଆ ବୁଲାଇ ନେବା ବାହାନାରେ ଟ୍ରେନ୍‌ରେ ବସିଥିଲେ ପୁନମ୍‌, ସୁନିଲ ଏବଂ ତାଙ୍କ ଭାଇ ।

Daily Express

କିଛି ବାଟ ଯିବା ପରେ ସେମାନେ ପୁମନଙ୍କୁ ଚେତାଶୂନ୍ୟ କରାଇବା ସହ ଖାନ୍‌ପୁରର ଅଶୋଗା ନଦୀ ଦେଇ ଟ୍ରେନ ଯାଉଥିବା ବେଳେ ପୁନମଙ୍କୁ ଟ୍ରେନ୍‌ ବାହାରକୁ ଫିଙ୍ଗି ଦେଇଥିଲେ । ନଦୀ କୂଳରୁ ସ୍ଥାନୀୟ ପୁଲିସ ମୃତଦେହ ଉଦ୍ଧାର କରିବା ସହ ଚିହ୍ନଟ ପାଇଁ ପୁନମଙ୍କ ପରିବାରକୁ ଡ଼କାଯାଇଥିଲା । ପ୍ରଥମରୁ ଏହା ଏକ ଦୁର୍ଘଟଣା ପୁଲିସ ଭାବୁଥିବା ବେଳେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ପୁନମଙ୍କ ପରିବାର ଲୋକେ ପୁଲିସକୁ ଜଣାଇଥିଲେ । ତଦନ୍ତ କରି ସୁନିଲଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ଡ଼ାକି ପଚରାଉଚରା କରିଥିଲା ପୁଲିସ । ଏହା ପରେ ସେ ଏବଂ ତାଙ୍କ ଭାଇ ମିଶି ଏପରି କରିଥିଲେ ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲେ ।

ସମ୍ବନ୍ଧିତ ଖବର