ଜଣେ ବ୍ୟକ୍ତି ପୋଲ ଉପରୁ କଲେ ପରିଶ୍ରା, ତଳେ ଡଙ୍ଗାରେ ଯାଉଥିବା ଲୋକେ ଗୁୁରୁତର ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହେଲେ

ନୂଆଦିଲ୍ଲୀ: ପୋଲ ଉପରୁ ଜଣେ ବ୍ୟକ୍ତି ପରିଶ୍ରା କରିବା କାରଣରୁ ଅନେକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଜର୍ମାନୀର ରାଜଧାନୀ ବର୍ଲିନ୍‌ରେ ଶୁକ୍ରବାର ସନ୍ଧ୍ୟାରେ କମ୍‌ ଉଚ୍ଚତା ଥିବା ଜେନୋଉଇଟିସ୍‌ ବ୍ରିଜ ଉପରୁ ଜଣେ ବ୍ୟକ୍ତି ପରିଶ୍ରା କରୁଥିଲେ। ଏହି ସମୟରେ ଏହି ପୋଲ ତଳ ଦେଇ ଏକ ଡଙ୍ଗା ଯାଉଥିଲା। ଏହି ଡଙ୍ଗାରେ ପର୍ଯ୍ୟଟକ ବସି ସହର ବୁଲୁଥିଲେ। ତେବେ ପର୍ଯ୍ୟଟକ ଯେତେବେଳେ ପୋଲ ଉପରୁ ଉକ୍ତ ବ୍ୟକ୍ତିଙ୍କୁ ପରିଶ୍ରା କରୁଥିବା ଦେଖିବାକୁ ପାଇଥିଲେ ଡଙ୍ଗାରୁ ଉଠି ପଡ଼ି ଏଣେତେଣ ଦୌଡ଼ିବାକୁ ଲାଗିଥିଲେ। କେହି କେହି ଡଙ୍ଗାରୁ ପାଣି ଭିତରକୁ ଡେଇଁ ପଡ଼ିଥିଲେ। ଫଳରେ ବ୍ରିଜ୍‌ରେ ଯାଇ ତାଙ୍କ ମୁଣ୍ଡ ବାଜିଥିବା ବି ଜଣାପଡ଼ିଛି।

ଏହି ଘଟଣା ପରେ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା। ଉଦ୍ଧାରକାରୀ ଦଳ ଆହତ ପର୍ଯ୍ୟଟକକୁ ଘଟଣାସ୍ଥଳରୁ ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ପୁଲିସ ଏହି ମାମଲାରେ ଉକ୍ତ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ କିଛି ଲୋକ କହୁଛନ୍ତି, ଏଭଳି ଘଟଣା ବର୍ଲିନ୍‌ରେ କେବେ ଘଟିବ ବୋଲି କେହି ଜାଣି ନଥିବେ। ଖୁବ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଉ।

ସମ୍ବନ୍ଧିତ ଖବର