ଅସୁରକ୍ଷିତ ରାଜଧାନୀ : ମା’ ସମ୍ମୁଖରେ ଝିଅକୁ ଅସଦାଚରଣ ଉଦ୍ୟମ

ବନ୍ଧା ହେଲେ, ଛେଚା ଖାଇଲେ

ଖଣ୍ଡଗିରି : ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷା ପାଇଁ ବ୍ୟାପକ ଯୋଜନା କରୁଛନ୍ତି। କ‌ଲେଜସ୍ତରରୁ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଉଛି। ତଥାପି ମହିଳାମାନେ ରାଜଧାନୀରେ ସୁରକ୍ଷିତ ନଥିବା ଦେଖାଯାଇଛି। ଏପରିକି ଦୁର୍ବୃତ୍ତମାନେ ଦିନରେ ମଧ୍ୟ ମହିିଳା ଓ ଯୁବତୀଙ୍କୁ ଅସଦାଚରଣ କରିବାକୁ ପଛାଉ ନାହାନ୍ତି। ଯାହାର ଏକ ଉଦାହରଣ ଆଜି ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଛତାବର ଅଞ୍ଚଳରେ ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଯବାନଙ୍କ ପତ୍ନୀ ଆଗରେ ତାଙ୍କ ଝିଅକୁ ଅସଦାଚରଣ ଉଦ୍ୟମ ହୋଇଛି। ତେବେ ଉଭୟ ମା’ ଝିଅ ସାହସିକତାର ପରିଚୟ ଦେଇ ଯୁବକ ତିନିଜଣଙ୍କୁ ପ୍ରତିରୋଧ କରିବା ସହିତ ଜଣେ ଯୁବକକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ତେବେ ପରେ ସ୍ଥାନୀୟ ଗ୍ରାମବାସୀ ଅନ୍ୟ ଦୁଇ ଯୁବକଙ୍କୁ ଧରି ଗଛରେ ବାନ୍ଧି ନିର୍ଧୁମ ମାଡ଼ ମାରିଛନ୍ତି। ଆଜି ସକାଳେ ମା’ ଓ ଝିଅ ମର୍ଣ୍ଣିଂ ୱାକ୍‌ରେ ଯାଉଥିବାବେଳେ ଏପରି ଘଟଣା ଘଟିଛି।

ସୂଚନାନୁସାରେ ଆଜି ସକାଳୁ ଛତାବର ଅଞ୍ଚଳର ଜଣେ ଅବସରପ୍ରାପ୍ତ ଯବାନଙ୍କ ସ୍ତ୍ରୀ ଓ ଝିଅ ମର୍ଣ୍ଣିଂ ୱାକ୍‌ରେ ଯାଉଥିଲେ। ସେମାନେ ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ଚାଲୁଥିବାବେଳେ ଏକ ବାଇକ୍‌ରେ ଥିବା ୩ ଜଣ ଯୁବକ ଯୁବତୀଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସାହସର ସହ ମା’ଝିଅ ସେମାନଙ୍କୁ ପ୍ରତିରୋଧ କରିଥିଲେ ଓ ଜଣଙ୍କୁ କାବୁ କରିନେଇଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯାଇଥିଲେ ଓ କିଛି ଯୁବକ ଘଟଣାସ୍ଥଳରୁ ପଳାଇଥିବା ଅନ୍ୟ ଦୁଇ ଯୁବକଙ୍କୁ ପିଛା କରି ପଳାସପୁର ନିକଟରୁ ଧରିବାରେ ସକ୍ଷମ ହୋଇଥିଲେ। ପରେ ଛତାବର ଗ୍ରାମବାସୀମାନେ ତିନି ଯୁବକଙ୍କୁ ଗଛରେ ବାନ୍ଧି ନିର୍ଧୁମ୍ ଛେଚିଥିଲେ। ଖବର ପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଫାଣ୍ଡିରେ ଅଟକ ରଖିଥିଲା। ଯୁବକମାନଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ମଦନପୁର ଓ ଅନ୍ୟ ଦୁଇ ଜଣ ଏକ ଘରୋଇ ମ୍ୟାନେଜମେଣ୍ଟ୍‌ କଲେଜର ଛାତ୍ର ଥିଲେ। ଅଟକ ଯୁବକମାନଙ୍କ ଅଭିଭାବକମାନେ ଛତାବର ଗ୍ରାମବାସୀ ଓ ମା’ ଝିଅଙ୍କୁ କ୍ଷମା ମାଗିବା ପରେ ମାମଲାର ଆପୋସ ସମାଧାନ ହୋଇଥିଲା ।

ସମ୍ବନ୍ଧିତ ଖବର