ବିଧବା ଭାଉଜଙ୍କୁ ବାହା ହେବାକୁ ବାଧ୍ୟ କରାଯିବାରୁ ଆତ୍ମହତ୍ୟା କଲେ ନବମ ଶ୍ରେଣୀର ଛାତ୍ର

ଗୟା: ବିଧବା ଭାଉଜଙ୍କୁ ବାହା ହେବାକୁ ବାଧ୍ୟ କରାଯିବାର ଦୁଇ ଘଣ୍ଟା ପରେ ଜଣେ ୧୫ ବର୍ଷିୟ ବାଳକ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଘଟିଛି ଦକ୍ଷିଣ ବିହାରର ଗୟା ଜିଲ୍ଲାରେ। ବାଳକ ଠାରୁ ତାଙ୍କ ଭାଉଜ ୧୦ ବର୍ଷ ବଡ଼।

ଗୟାର ୧୫ କିଲୋମିଟର ପଶ୍ଚିମରେ ଅବସ୍ଥିତ ପରାୟା ଥାନା ଅଧୀନସ୍ଥ ବିନୋବା ନଗର ଗାଁ’ରେ ସୋମବାର ଦିନ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

ପୁଲିସ କହିବା ଅନୁସାରେ, ପରାୟାସ୍ଥିତ ସରକାରୀ ହାଇସ୍କୁଲ୍‌ରେ ନବମ ଶ୍ରେଣୀର ଛାତ୍ର ମହାଦେବ ଦାସ ୨୫ ବର୍ଷୀୟ ରୁବି ଦେବୀଙ୍କୁ ବାହା ହୋଇଥିଲେ। ରୁବି ତାଙ୍କ ବଡ଼ ଭାଇ ସନ୍ତୋଷ ଦାସଙ୍କ ବିଧବା ପତ୍ନୀ। ବାହାଘର ପାଇଁ ତାଙ୍କର ଅତ୍ମୀୟ ଏବଂ ଗ୍ରାମବାସୀ ଚାପ ପକାଇଥିଲେ। ରୁବି ଦୁଇଟି ପିଲାର ମାଆ।

ଗାଁ ମନ୍ଦିରରେ ଅନୁଷ୍ଠିତ ଏହି ବାହାଘର ଅନୁଷ୍ଠାନରେ ବହୁ ସଂଖ୍ୟକ ଗ୍ରାମବାସୀ ଏବଂ ଆତ୍ମୀୟ ଉପସ୍ଥିତ ଥିଲେ। କନ୍ୟା ପକ୍ଷରୁ ଚାରି ଜଣ ଏବଂ ବର ପକ୍ଷରୁ ୬ ଜଣ ଲୋକ, ସମୁଦାୟ ୧୦ ଜଣ ବ୍ୟକ୍ତି ବାହାଘର ବୈଧ୍ୟତା ନିମିତ୍ତ ପ୍ରସ୍ତୁତ ଡ୍ରାଫ୍‌ଟ୍‌ରେ ଦସ୍ତଖତ କରିଥିଲେ।

ସନ୍ଧ୍ୟା ୫ଟାବେଳେ ବିବାହ ସମ୍ପନ୍ନ ହେବା ମାତ୍ରେ ମହାଦେବ ଘରକୁ ଚାଲି ଯାଇଥିଲା। ସନ୍ଧ୍ୟା ୭ଟା ବେଳେ ବେକରେ ଟାେଓ୍ଵଲ୍‌ ବାନ୍ଧି ଫାଶୀ ଦେଇଥିଲେ।

ନିଜ ପିଲା ପରି ତାଙ୍କର ତତ୍ତ୍ୱ ନେଉଥିବା ଜଣେ ମହିଳାଙ୍କୁ ବିବାହ କରି ସେ ଖୁସୀ ନ ଥିଲେ ବୋଲି ମହାଦେବର ପିତା ଚନ୍ଦ୍ର ଶେଖର ଦାସ କହିଛନ୍ତି।

Image Courtesy of TOI

ଚନ୍ଦ୍ର ଶେଖର ଜଣେ ଦିବ୍ୟାଙ୍ଗ। ବଡ଼ପୁଅର ମୃତ୍ୟୁ ଜନିତ କ୍ଷତିପୂରଣ ବାବଦରେ ସେ ୮୦ ହଜାର ଟଙ୍କା ପାଇଥିଲେ। ଶେଷକୁ ବଡ଼ପୁଅର ମୃତ୍ୟୁ ତାଙ୍କ ଅନ୍ୟ ପୁଅର ମୃତ୍ୟୁର କାରଣ ହେଲା। ବଡ଼ପୁଅ ଗୟାର ଏକ ଘରୋଇ ଫାର୍ମରେ ଇଲେକ୍ଟ୍ରିସିଆନ୍‌ ଭାବେ କାର୍ଯ୍ୟ କରୁଥିଲେ। ୨୦୧୩ରେ ବିଜୁଳି ଆଘାତ ଯୋଗୁଁ ତା’ର ମୃତ୍ୟୁ ଘଟିଥିଲା। ତେଣୁ କ୍ଷତି ପୂରଣ ବାବଦରେ କମ୍ପାନି ଚନ୍ଦ୍ର ଶେଖରଙ୍କ ଆକାଉଣ୍ଟ୍‌ରେ ସମ୍ପୂର୍ଣ୍ଣ ୮୦ ହଜାର ଟଙ୍କା ଜମା କରିଥିଲା।

ସେ ଟଙ୍କା ନେବା ପାଇଁ ବୋହୂ ଏବଂ ତା’ର ବାପାମାଆ ମୋ ଉପରେ ଚାପ ପକାଉଥିଲେ। ମୁଁ ବୋହୂ ଆକାଉଣ୍ଟ୍‌ରେ ୨୭ ହଜାର ଟଙ୍କା ଜମା କରିଥିଲି। ବାକି ଟଙ୍କା ପରେ ଦେବି ବୋଲି ତାଙ୍କ ବାପା ମାଆଙ୍କୁ ପ୍ରତିଶ୍ରୁତି ଦେଇଥିଲି। କିନ୍ତୁ ପରେ ପରେ ସେମାନେ ଚାପ ପକାଇଥିଲେ କି, ସବୁ ଟଙ୍କା ଦିଅ ନଚେତ ସାନ ପୁଅ ସହ ରୁବିର ବାହାଘର କରି ଦିଅ। ଏ ଭଳି ଚାପରେ ଅସ୍ଥିର ହୋଇ ପଡ଼ିଥିଲେ ବୋଲି ଚନ୍ଦ୍ରଶେଖର କହନ୍ତି।

ଖବର ପାଇ ତେକାରି ସବ୍‌ଡିଭିଜିନାଲ୍‌ ପୁଲିସ ଅଧିକାରୀ ମନିଶ କୁମାର ମଧ୍ୟ ବିନୋବା ନଗରରେ ବୁଧବାର ଦିନ ପହଞ୍ଚି ପରାୟା ପୁଲିସକୁ ଭର୍ତ୍ସନା କରିଥିଲେ।

ମଙ୍ଗଳବାର ଦିନ ପରାୟା ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ଦାଏର କରି ବୁଧବାର ଦିନ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରିଛି। ବିବାହରେ ଯୋଗ ଦେଇଥିବା ନଅ ଜଣ ଲୋକଙ୍କୁ ପୁଲିସ ଅଭିଯୁକ୍ତ ତାଲିକାରେ ରଖିଛି।

ସମ୍ବନ୍ଧିତ ଖବର