ବିହାର: ରେଳବାଇ ଚାକିରି ପାଇଁ ବାପାଙ୍କୁ ହତ୍ୟା କରାଇଲା ପୁଅ

ପାଟନା: ଜଣେ ରେଳବାଇ କର୍ମଚାରୀ ଗୁଳିଚୋଟରେ ମରିବାର ଦିନକ ପରେ ପୁଲିସ ବୁଧବାର ଦିନ ତାଙ୍କ ପୁଅକୁ ଗିରଫ କରିଛି। କାରଣ ସେ ହିଁ ନିଜ ବାପାଙ୍କ ମୃତ୍ୟୁର ଷଡ଼ଯନ୍ତ୍ରକାରୀ। ଦୁଇ ଜଣ ଭଡ଼ାଟିଆ ଆତତାୟୀଙ୍କୁ ମଧ୍ୟ ଧରା ଯାଇଛି।

ମଙ୍ଗଳବାର ସକାଳେ ମୁଙ୍ଗର ଜିଲ୍ଲା ଅନ୍ତର୍ଗତ ଇଷ୍ଟ୍‍ କଲୋନି ଥାନା ଅଞ୍ଚଳର ଅଫିସର୍‌ସ୍‌ କ୍ଲବ୍‌ ରୋଡ୍‌ସ୍ଥିତ ନିଜ କର୍ମସ୍ଥଳୀକୁ ଯିବାବେଳେ ଓଁ ପ୍ରକାଶ ମଣ୍ଡଳଙ୍କ କାନ୍ଧରେ ଗୁଳି ଚୋଟ ଲାଗିଥିଲା।

ସେ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ସହାୟତାରେ ପୁଲିସ୍‌ ଗୁଳିକାରୀ ୩୧ ବର୍ଷିୟ ରବି ରଞ୍ଜନଙ୍କୁ ଜମାଲପୁର ଥାନା ଅଞ୍ଚଳ ଅନ୍ତର୍ଗତ ରାମପୁରସ୍ଥିତ ତାଙ୍କ ଘରୁ ଗିରଫ କରିଛି। ରବିର ସ୍ୱୀକାରୋକ୍ତି ଆଧାରରେ ପୁଲିସ ଅନ୍ୟ ଜଣେ ଗୁଳିକାରୀ ସୁନୀଲ ମଣ୍ଡଳ ଓ ଓଁ ପ୍ରକାଶଙ୍କ ପୁଅ ପବନ ମଣ୍ଡଳଙ୍କୁ ଗିରଫ କରିଛି।

ଇଷ୍ଟ୍‍ କଲୋନି ଥାନା ଏସ୍‌ଏଚ୍‌ଓ ମହମ୍ମଦ ଅଲି ସବ୍ରି କହିବା ଅନୁସାରେ, ବହୁ ବର୍ଷ ଧରି ପବନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରି ଆସୁଥିଲେ ବି ସଫଳ ହୋଇ ପାରି ନ ଥିଲା। ବାପା ଏପ୍ରିଲ୍‌ ୩୦ ତାରିଖରେ ଅବସର ଗ୍ରହଣ କରିବେ ଜାଣି ସେ ତାଙ୍କୁ ହତ୍ୟା କରାଇବାକୁ ଯୋଜନା କରିଥିଲେ। ଫଳତଃ ଅନୁକମ୍ପା ଆଧାରରେ ସେ ରେଳବାଇ ଚାକିରି ପାଇ ଯାଇ ପାରିବ।

ଦୁଇ ଲକ୍ଷ ଟଙ୍କା ବିନିମୟରେ ପବନ ଦୁଇ ଜଣ ଭଡ଼ାଟିଆ ହତ୍ୟାକାରୀ ଆଣିବା ପାଇଁ ଏକ ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିଲା। ଏହି କାରବାର ପାଇଁ ମଧ୍ୟସ୍ଥି ସାଜିଥିବା ଭିକ୍କି ଓ ଜୁଗ୍‌ନୁଙ୍କୁ ଗିରଫ କରାଯିବା ପାଇଁ ଚଢ଼ଉ ଚାଲିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର