ଏହି କାରଣ ପାଇଁ କରଓ୍ଵା ଚୌଥ୍ ଦିନ ସ୍ତ୍ରୀର ଜିଭକୁ ବ୍ଲେଡରେ କାଟିଲା ସ୍ୱାମୀ
ମୁଜାଫରପୁର : ବିହାର ମୁଜାଫରପୁର ଜିଲ୍ଲାରେ କରଓ୍ଵା ଚୌଥ୍ ଭଳି ଦିନରେ ଜଣେ ସ୍ୱାମୀ କରିଥିବା କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କାରିଛି । ମୁଜାଫରପୁରର ସକରା ଥାନା ଅନ୍ତର୍ଗତ ସରୈୟା ଗାଁରେ ଜଣେ ସ୍ୱାମୀ ନିଜ ସ୍ତ୍ରୀର ଜିଭ କାଟି ଦେଇଥିବା ବେଳେ ଏବେ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ପରେ ଗାଁ ଲୋକେ ଅଭିଯୁକ୍ତ ସ୍ୱାମୀକୁ ଧରି ପୁଲିସକୁ ହସ୍ତାନ୍ତର କରିଥିବା ବେଳେ ପ୍ରକୃତ ଘଟଣା ଜାଣିବା ପାଇଁ ପଚରାଉଚରା କରୁଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଘଟଣା ଦିନ ଅଭିଯୁକ୍ତ ରାଜସ୍ଥାନରୁ ଘରକୁ ଫେରିବା ପରେ ନିଜର ଦୁଇ ପତ୍ନୀଙ୍କୁ ଝଗଡ଼ା କରୁଥିବାର ଦେଖିଥିଲେ । ଦ୍ୱିତୀୟ ପତ୍ନୀ ନିର୍ଯ୍ୟାତନାର ଶିକାର ହୋଇ ବିରକ୍ତ ହେବା ସହ ଘର ବାହାରେ ଆସି ପାଟି କରୁଥିଲେ । ଏହା ଦେଖି ରାଗରେ ଅଭିଯୁକ୍ତ ନିଜର ଦ୍ୱିତୀୟ ପତ୍ନୀ ମୀନା ଖାତୁନଙ୍କୁ ଚୁପ୍ କରିବା ପାଇଁ ତାଙ୍କ ଜିଭ ଏକ ବ୍ଲେଡ୍ରେ କାଟି ଦେଇଥିଲେ ।
ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ମୁତାବକ, ଅଭିଯୁକ୍ତଙ୍କ ପ୍ରଥମ ପତ୍ନୀ ସନ୍ତାନ ଜନ୍ମ ନ କରି ପାରିବାରୁ ସେ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ବିବାହ ପରେ ଦୁହେଁ ମିଶି ପୀଡ଼ିତାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଯାହା ପାଇଁ ପୀଡ଼ିତା ସବୁ ବେଳେ ଝଗଡ଼ା କରୁଥିବାରୁ ଅଭିଯୁକ୍ତ ତାଙ୍କୁ ଜିଭ କାଟିଦେବାର ଧମକ ଦେଉଥିଲେ । କରଓ୍ଵା ଚୌଥ୍ ଦିନ ପୀଡ଼ିତାଙ୍କୁ ପାଟି କରୁଥିବାର ଦେଖି ଅଭିଯୁକ୍ତ ସତରେ ତାଙ୍କର ଜିଭ କାଟି ଦେଇଥିଲେ । ତେବେ ଘଟଣା ପରେ ପଡ଼ୋଶୀ ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରିଛନ୍ତି ।