ବିହାରରେ ଦୁଷ୍କର୍ମ ଭିଡିଓ ଭାଇରାଲ୍‌; ପୁଲିସର ତଦନ୍ତ ଆରମ୍ଭ

ପାଟନା: ଅନ୍ୟମାନଙ୍କ ଉପସ୍ଥିତିରେ ଯୁବକଟିଏ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରୁଥିବାର ଭିଡିଓ ଭାଇରାଲ୍‌ ହେବା ପରେ ପୁଲିସ ତାହାର ତଦନ୍ତ ଆରମ୍ଭ କରିଛି। ଘଟଣାଟି ବିହାରର ମଗଧ ଅଞ୍ଚଳରେ ଘଟିଥିବା ଜଣାପଡୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସାମାଜିକ ଗଣମାଧ୍ୟମରେ ସେୟାର ହେଉଥିବା ସେ ଭିଡିଓ ଫୁଟେଜ୍‌ଟି ଗତ ସପ୍ତାହରେ ଅପ୍‌ଲୋଡ୍‌ କରାଯାଇଥିବା ପ୍ରକାଶ। ସେଥିରେ ମାଗାହି ଉପଭାଷାରେ କଥାବାର୍ତ୍ତା ଚାଲିଥିବାରୁ ଘୃଣ୍ୟ ଅପକର୍ମଟି ମଗଧ ଅଞ୍ଚଳରେ ଘଟିଥିବାର ଅନୁମାନ କରାଯାଉଛି।

କେବେ, କେଉଁଠି ଏ କାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନାହିଁ। ପୀଡ଼ିତା କିଏ, ଦୁଷ୍କର୍ମକାରୀ କିଏ- ତାହା ମଧ୍ୟ ଜଣାଯାଇ ନାହିଁ। ସେଣ୍ଟ୍ରାଲ୍‌ ରେଞ୍ଜ୍‌ର ଡିଆଇଜିଙ୍କ ନିର୍ଦେଶକ୍ରମେ ଗତକାଲି ଗୟା ଅନ୍ତର୍ଗତ କୋତଓ୍ଵାଲି ଥାନାରେ ଏକ ଜିରୋ ଏଫ୍‌ଆଇଆର୍‌ ଦାଏର୍‌ କରାଯାଇଛି।

ମଗଧ ଅଞ୍ଚଳରେ ଥିବା ସମସ୍ତ ଜିଲ୍ଲାକୁ ଏ ମାମଲାର ବିସ୍ତତ ବିବରଣୀ ଦିଆଯାଇଛି। ଅନୁସନ୍ଧାନ ଚାଲିଛି। ଯଦି ଅପକର୍ମଟି ଅନ୍ୟ କୌଣସି ଜିଲ୍ଲାରେ ସଂଗଠିତ ହୋଇଥିବା ଜଣାପଡ଼େ ସମ୍ପୃକ୍ତ ଥାନାକୁ ଜିରୋ ଏଫ୍‌ଆଇର୍‌ଟି ସ୍ଥାନାନ୍ତରିତ ହେବ।

ଏମିତି ଏକ ଭିଡିଓ ଗୟା ନିକଟବର୍ତ୍ତୀ ଜେହାନାଦାବାଦ ଠାରେ ଘଟିଥିଲା। ଦଳେ ଯୁବକ ଜଣେ ନାବାଳିକା ସହ ବ୍ୟଭିଚାର କରିଥିବା ଦୃଶ୍ୟର ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର୍‌ ହେବା ପରେ ୮ ଜଣ ନାବାଳକଙ୍କ ସମେତ ୧୩ ଜଣଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର