ବାଇକ୍‌ ଲୁଟେରା ଦାସିଆ-ବିଶାଲ ଯୋଡ଼ି ଗିରଫ, ୧୩ ବାଇକ୍‌ ଜବତ

ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳରେ ବାଇକ୍‌ ଲୁଟ୍‌ କରୁଥିବା କୁଖ୍ୟାତ ଦାସିଆ-ବିଶାଲ ଯୋଡ଼ି ପୁଣି ଧରାପଡ଼ିଛନ୍ତି ପୁଲିସ ପଞ୍ଝାରେ। ଏହି ଲୁଟେରା ‌ଯୋଡ଼ି ସହ ସେମାନଙ୍କଠାରୁ ଚୋରା ବାଇକ୍‌ କିଣି ବେପାର କରୁଥିବା ଅନ୍ୟ ଜଣେ ଯୁବକକୁ ବି ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୧୩ଟି ବାଇକ୍ ଜବତ କରାଯାଇଛି। କୋର୍ଟରେ ହାଜର କରାଯିବା ପରେ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନେ ହେଲେ, ଡୁମୁଡୁମା ରଘୁନାଥନଗର ଶୁକବିହାରରେ ରହୁଥିବା ଗଞ୍ଜାମର ଦାସିଆ ଦଳେଇ ଓରଫ୍‌ ଦାସିଆ(୨୨), ପାତ୍ରପଡ଼ା ଫୁଲେଶ୍ବରୀ ବସ୍ତିରେ ରହୁଥିବା ଗଞ୍ଜାମ କୋଦଳା‌ର ଝୁମର ବିଶ୍ବାଳ ଓରଫ୍ ବିଶାଲ୍‌(୨୭) ଓ ସେମାନଙ୍କଠାରୁ ଚୋରା ବାଇକ୍‌ କିଣିବିକା କରୁଥିବା କୋଦଳା ରାମପାଲ୍ଲୀର ରାଜୁ ସ୍ବାଇଁ(୨୪)। ପୁଲିସ ସୂଚନାନୁସାରେ, ଗତ ଡିସେମ୍ବର ୩୧ ତାରିଖ ଦିନ ଡୁମୁଡୁମା ସୁବାସନଗର ବସ୍ତିର ମନୋଜ କୁମାର ଦେଉରୀ ହାଉସିଂ ବୋର୍ଡ କଲୋନି ଫେଜ୍-୪ରେ ତାଙ୍କ ବାଇକ୍‌(ଓଆର୍୦୨ଏୟୁ-୬୦୦୧)କୁ ରଖି ମାର୍କେଟିଂ କରୁଥି‌ଲେ। ମାର୍କେଟିଂ କରିବା ଭିତରେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌ ନେଇ ଚମ୍ପଟ ମାରିଥିଲା। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତରୁ ଏହା ଦାସିଆ-ବିଶାଲ୍ ଯୋଡ଼ିଙ୍କ କାମ ବୋଲି ଜଣାପଡ଼ିଥିଲା। କିନ୍ତୁ ସେମାନେ ସେହିଦିନଠାରୁ ଫେରାର୍ ହୋଇଯାଇଥିଲେ। ଏ ଭିତରେ ଖଣ୍ଡଗିରି ଥାନାରୁ ବହୁ ଅଧିକାରୀ ବଦଳି ହୋଇଯିବା ପରେ ସେମାନେ ପୁଣି ଖଣ୍ଡଗିରି ଫେରି ଆସିଥିଲେ। ପୁରୁଣା ରେକର୍ଡ ଖୋଳତାଡ଼ କରୁ କରୁ ପୁଲିସ ଏହି ମାମଲା ବାବଦରେ ଛାନ୍‌ଭିନ କରିଥିଲା। ଗତକାଲି ଭୋର୍ ସମୟରେ ଖଣ୍ଡଗିରି ଥାନା ଟିମ୍‌ ଅଚାନକ ଦାସିଆ ଘରେ ଚଢ଼ଉ କରି ତାକୁ ଗିରଫ କରିବାରେ ସଫଳ ହେବା ପରେ ଅନ୍ୟ ଦୁଇ ଜଣ ଧରା ପଡ଼ି ଯାଇଥିଲେ। ପୁଲିସ ସେମାନଙ୍କଠାରୁ ୩ଟି ପଲସର୍‌, ୪ଟି ପାସନ୍ ପ୍ରୋ, ୨ଟି ଗ୍ଲାମର, ଗୋଟିଏ ଆପାଚି, ଗୋଟିଏ ଆକ୍ଟିଭା ଓ ୨ଟି ହିରୋ ବାଇକ୍‌ ଜବତ କରିଛି। ପୁଲିସ ସୂଚନାନୁସାରେ ଦାସିଆ-ବିଶାଲ୍ ଗତ ୨୦୧୨ମସିହାରୁ ବାଇକ୍‌ ଚୋରି କରି ଆସୁଛନ୍ତି। ପୂର୍ବରୁ ଏମାନେ ବହୁଥର ଗିରଫ ହୋଇ ଜେଲ୍‌ ଯାଇଛନ୍ତି। କିନ୍ତୁ ଜାମିନ୍‌ରେ ଆସିବା ପରେ ପୁଣି ସେହି କାମ କରୁଛନ୍ତି। ଖଣ୍ଡଗିରି, ପାତ୍ରପଡ଼ା ଶନିମନ୍ଦିର ଓ ଡୁମୁଡୁମା ବଜାର ଭଳି ଜନଗହଳିପୂର୍ଣ୍ଣ ସ୍ଥାନରୁ ଏମାନେ ବାଇକ୍‌ ଚୋରି କରି ରାଜୁ ସ୍ବାଇଁ ଭଳି କିଛି ଚୋରା ବାଇକ୍ ବେପାରୀଙ୍କୁ କମ୍ ଦାମରେ ବିକ୍ରି କରିଦିଅନ୍ତି।

ସମ୍ବନ୍ଧିତ ଖବର