ଚୋର ଗିରଫ, ବାଇକ୍‌ ଜବତ

ଭୁବନେଶ୍ବର,:ବାଇକ୍‌ ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଚୋରକୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି। ସେ ହେଲା କଟକ ଜିଲ୍ଲା କାନପୁର ଅଞ୍ଚଳର ପ୍ରଫୁଲ୍ଲ ପ୍ରଧାନ(୪୩)। ପୁଲିସ ସୂଚନା ମୁତାବକ, ଗତ ଶନିବାର ସନ୍ଧ୍ୟାରେ ଶରତ ସାହୁ ନାମକ ଜଣେ ବ୍ୟକ୍ତି କେଶରୀ ଟକିଜ୍‌ ନିକଟ ଏକ ଦୋକାନରେ ଚା’ ପିଉଥିଲେ। ଏହି ସମୟରେ ପ୍ରଫୁଲ୍ଲ ଅଚାନକ ତାଙ୍କ ପାଖରେ ପହଞ୍ଚି ବାଇକ୍‌ ମାଗିଥିଲା। ସେ ଏମିତି ଅଭିନୟ କରିଥିଲା ଯେ ଶରତ ତାକୁ ବାଇକ୍‌ ଦେଇଥିଲେ। ହେଲେ ସେ ଆଉ ଫେରିନଥିଲା କି ବାଇକ୍‌ ଫେରାଇନଥିଲା। ବିଳମ୍ବ ହେବାରୁ ଶରତ ଘରକୁ ଫେରି ଯାଇଥିଲେ। ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିଥିଲା। ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ପ୍ରଫୁଲ୍ଲକୁ ଚିହ୍ନଟ କରିଥିଲା। ରବିବାର ବିଳମ୍ବିତ ରାତିରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଚେକିଂ ବେଳେ ପ୍ରଫୁଲ୍ଲ ଧରା ପଡ଼ିଥିଲା। ଯାଞ୍ଚ କରିବାରୁ ପ୍ରଫୁଲ୍ଲ ପୁଲିସକୁ ଗାଡ଼ି କାଗଜପତ୍ର ଦେଖାଇ ପାରିନଥିଲା। ତାକୁ ଥାନାକୁ ଆଣି ପଚରାଉଚରା ପରେ ସେ ଗାଡ଼ି ଚୋରି କରିଥିବା ମାନିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର