ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲା: ୩ ବର୍ଷ ପୂର୍ବ ଆକ୍ରମଣ ମାମଲାରେ ଗିରଫ ଅଭିଯୁକ୍ତଙ୍କ ୨୬ରେ ଟିଆଇ ପ୍ୟାରେଡ୍

ଖୋର୍ଦ୍ଧା: ବହୁ ଚର୍ଚ୍ଚିତ ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚକୁ ମିଳିଥିବା ସଫଳତା ଉପରେ ଜିଲ୍ଲା ପୁଲିସ୍‌ ପାଣି ପକାଇଦେଇଛି। ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ତରେ ନେବା ଆେବଦନକୁ ଟାଙ୍ଗୀ ଜେଏମ୍ଏଫ୍‌ସି କୋର୍ଟ ନାକଚ କରିଦେଇଥିବା ବେଳେ ଟାଙ୍ଗୀ ପୁଲିସର ପାଲଟା ଆବେଦନ କ୍ରମେ ଆସନ୍ତା ୨୬ ତାରିଖରେ ଟିଆଇ ପ୍ୟାରେଡ୍ କରିବାକୁ ଟାଙ୍ଗୀ ଜେଏମଏଫସି ନିର୍ଦ୍ଦେଶ ଦେଇଛନ୍ତି। ଟିଆଇ ପ୍ୟାରେଡ୍ ପରେ କ୍ରାଇମବ୍ରାଞ୍ଚର ରିମାଣ୍ଡ ଆବେଦନର ଶୁଣାଣି ହେବ ବୋଲି ଜେଏମଏଫସି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁସାରେ, ଖୋର୍ଦ୍ଧା ୯ ନମ୍ବର ଜୋନ୍‌ର ବିଜେପି ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେପି ପ୍ରାର୍ଥୀ କାଳୁ ଚରଣ ଖଣ୍ତାୟିତରାୟଙ୍କ ନବୀନାବାଗସ୍ଥିତ ଘର ସମ୍ମୁଖରେ ୨୦୧୯ ଏପ୍ରିଲ ୧୪ ତାରିଖ ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ତେବେ ଏହାର ୩ ବର୍ଷ ପୂର୍ବରୁ ୨୦୧୬ ଅଗଷ୍ଟ ୩୧ ତାରିଖରେ ଦିବ୍ୟଲୋଚନ ଗଜେନ୍ଦ୍ର ଓରଫ ମାମଲା, ସୀମାଞ୍ଚଳ ବଡ଼ଜେନା ଓରଫ ସିଲୁ, ପାପିନ ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓରଫ ବାଙ୍କ, ଇସ୍ପାତ୍ ମହାରଣା ଓରଫ ମଣ୍ଟୁ ମଙ୍ଗୁଳି ଜେନାଙ୍କୁ ୫ରୁ ୬ ରାଉଣ୍ତ ଗୁଳି କରିଥିଲେ। ଏଥିରେ ମଙ୍ଗୁଳି ଜେନା ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ୫ଜଣ ଫେରାର୍ ହୋଇଯାଇଥିଲେ। ଏନେଇ ନିରାକାରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଭାର ନେଇଥିଲା। ଗତକାଲି କ୍ରାଇମ୍ ବ୍ରାଞ୍ଚ ଅଭିଯୁକ୍ତ ୫ଜଣଙ୍କୁ ଗିରଫ କରିବା ପରେ ଆଜି ଟାଙ୍ଗୀ ଜେଏମ୍ଏଫ୍‌ସି କୋର୍ଟରେ ହାଜର କରିଥିଲା। ତେବେ ଏହି ମାମଲାରେ ଟିଆଇ ପରେଡ୍ ହୋଇ ନ ଥିବା ଓ ଧରାପଡ଼ିଥିବା ଅଭିଯୁକ୍ତଙ୍କ ଚିହ୍ନଟ ନେଇ ଟାଙ୍ଗୀ ପୁଲିସ୍‌ ପ୍ରଶ୍ନ ଉଠାଇଥିଲା। ଫଳରେ ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ତରେ ନେବା ପାଇଁ କ୍ରାଇମ୍ ବ୍ରାଞ୍ଚର ଆବେଦନକୁ କୋର୍ଟ ଖାରଜ କରିଦେଇଥିବା ବେଳେ ଆସନ୍ତା ୨୬ ତାରିଖରେ ଜେଲ୍‌ରେ ଅଭିଯୁକ୍ତମାନଙ୍କ ଟିଆଇ ପ୍ୟାରେଡ୍‌ ପରେ ରିମାଣ୍ତ ଆବେଦନର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର