ଜନ୍ମ ସାର୍ଟିଫିକେଟ୍‌ ଦେବା ନାଁରେ ୧୦୦୦ ଟଙ୍କା ଲାଂଚ ନେଇ ଗିରଫ ହେଲେ ବିଏମ୍‌ସି ସ୍ୱାସ୍ଥ୍ୟ କର୍ମଚାରୀ

ଭୁବନେଶ୍ୱର: ଜନ୍ମ ସାର୍ଟିଫିକେଟ ଦେବା ପାଇଁ ୧୦୦୦ ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବୁଧବାର ବିଏମସି (ଭୁବନେଶ୍ୱର ମହାନଗର ନିଗମ) ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ମନୋରଂଜନ ଦାସ (୪୩)ଙ୍କୁ ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟନଗର ପ୍ଲଟ ନମ୍ବର ୧୫ରୁ ଗିରଫ କରିଛନ୍ତି। ମନୋରଂଜନ ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଂଚଳରେ ରହୁଥିବା କଳହାଣ୍ଡି ଜିଲ୍ଲାର ଜୁନାଗଡ଼ ଥାନା ଅନ୍ତର୍ଗତ କୁଳମଣୀ ମେହେରଙ୍କ ଠାରୁ ଜନ୍ମ ସାର୍ଟିଫିକେଟ ଦେବା ପାଇଁ ୧୦୦୦ ଟଙ୍କା ଲାଂଚ ମାଗିଥିଲେ। ଏନେଇ କୁଳମଣୀ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ମନୋରଂଜନକୁ ଗିରଫ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଜି ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ମନୋରଂଜନଙ୍କୁ ଗିରଫ କରିଛନ୍ତି।

ସମ୍ବନ୍ଧିତ ଖବର