ସୁନ୍ଦରଗଡ଼: ଯୁବକଙ୍କୁ ନୃଶଂସ ହତ୍ୟା; ୩ ଦିନ ପରେ ନିଜ ଘରୁ ମିଳିଲା ପଚା ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅନ୍ତର୍ଗତ ଛତାବର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗାଁର ଜଣେ ଯୁବକଙ୍କ ପଚା ମୃତଦେହ ଶୁକ୍ରବାର ସଂଧ୍ୟାରେ ପୁଲିସ୍‌ ତାଙ୍କ ଘରୁ ଉଦ୍ଧାର କରିବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ୨୭ ବର୍ଷିଅ ଅଭିମନ୍ୟୁ ସାହା। ତାଙ୍କର ହତ୍ୟା କରାଯାଇଛି ବୋଲି ପୁଲିସ୍‌ ସନ୍ଦେହ କରୁଛି।

ଉଲ୍ଲେଖଯୋଗ୍ୟ, ଅଭିମନ୍ୟୁଙ୍କର ମାଆ ନାହାନ୍ତି। ତାଙ୍କ ପରିବାରେ କେବଳ ସେ, ତାଙ୍କ ବାପା ଏବଂ ଜଣେ ଅବିବାହିତା ଭଉଣୀ। ଅଭିମନ୍ୟୁଙ୍କ ବାପାଙ୍କର ଆଖି ସମସ୍ୟା ରହିଥିବାରୁ ତାଙ୍କ ବାପାଙ୍କୁ ନେଇ ଅଭିମନ୍ୟୁଙ୍କ ଭଉଣୀ ରାଉର୍‌କେଲାର ଏକ ହସ୍ପିଟାଲ୍‌କୁ ଆଜକୁ ପ୍ରାୟ ୩ ଦିନ ତଳେ ଆଖି ଅପରେସନ କରିବାକୁ ଯାଇଥିଲେ। ସେମାନେ ସେବେଠାରୁ ସେଠାରେ ରହିଥିଲେ। ଅଭିମୁନ୍ୟ ଘରେ ଏକା ଥିବା ଅବସ୍ଥାରେ କେହି ଜଣେ ସୁଯୋଗ ଅଣ୍ଡାଳି ପୂର୍ବ ଶତ୍ରୁତା ହେତୁ ତାଙ୍କୁ ହତ୍ୟା କରି ଘରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ସଂଧ୍ୟାରେ ଅଭିମନ୍ୟୁଙ୍କ ଘରୁ ପଚା ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ଦୁଆର ଡେଇଁ ଘର ଭିତରକୁ ଯାଇ ଦେଖିଲା ବେଳକୁ ଅଭିମନ୍ୟୁ ବନ୍ଧା ହୋଇ ଟଙ୍ଗା ହୋଇଥିଲେ। ତାଙ୍କ ଶରୀର ପଚି ଯାଇଥିବାରୁ ଶରୀରୁ ଦୁର୍ଗନ୍ଧ ବାହାରୁଥିଲା। ଏହି ଘଟଣାର ତଦନ୍ତ କରି ପୁଲିସ୍‌ ୨ ଜଣଙ୍କୁ ଅଟକ ରଖିଛି। କିଏ ଏପରି କାହିଁକି କରିଛି ତାହା ଜାଣିବା ପାଇଁ ପୁଲିସ୍‌ ତତନ୍ତ ଆରମ୍ବ କରିଛି। ଅଭିମନ୍ୟୁଙ୍କ ବାପା ଓ ଭଉଣୀଙ୍କୁ ଘଟଣା ସଂପର୍କରେ ଫୋନ୍‌ ଯୋଗେ ସୂଚୀତ କରାଯାଇଛି।

ସମ୍ବନ୍ଧିତ ଖବର