ଭାଇ ଘରେ ବୋମା ମାଡ଼, ଭଉଣୀକୁ ଗୁଳି

ଜମି ଭାଗବଣ୍ଟା ବିବାଦର ଭୟଙ୍କର ପରିଣତି

ଭୁବନେଶ୍ୱର/ଧଉଳି/ପିପିଲି: ଭାଇ-ଭାଇ ମଧ୍ୟରେ ଜମିବାଡ଼ି ବିବାଦ କେତେ ଉଗ୍ର ରୂପ ନେଇପାରେ ଆଜି ତା’ର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ୫ ଦିନ ତଳେ ଏହି ଜମି ଭାଗବଣ୍ଟାକୁ କେନ୍ଦ୍ରକରି ନିଜ ସାନଭାଇ ଘରେ ନିଆଁ ଲଗାଇ ଦେଇଥିବା ବଡ଼ଭାଇ ଆଜି ପୁଣି ରକ୍ତମୁଖା ହୋଇ ଭାଇର ପରିବାରକୁ ଶେଷ କରିଦେବାକୁ ବୋମା ମାଡ଼ ଓ ଗୁଳି ମାଡ଼ କରିଛି। ମଞ୍ଚେଶ୍ୱର ଥାନା ଅଧୀନ ଚକେଇସିହାଣି କେନାଲ ବନ୍ଧ ଆଖଣ୍ଡଳମଣି ବସ୍ତିରେ ରହୁଥିବା ଚିତ୍ତରଂଜନ ରାଉତରାୟଙ୍କ ଘର ଉପରେ ତାଙ୍କ ବଡ଼ ଭାଇ ହାଡ଼ିବନ୍ଧୁ ରାଉତରାୟ ନିଜର କିଛି ସହଯୋଗୀଙ୍କ ସହ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଲଗାତାର ୭ଟି ବୋମା ମାଡ଼ ହେବା ଫଳରେ ଘରର ଦୁଇ ବଖରା କାନ୍ଥ ଭାଙ୍ଗି ଚୂରମାର୍‌ ହୋଇଯାଇଥିବା ବେଳେ ଭିତରେ ଥିବା ବାଇକ୍‌, ଓ୍ଵାସିଂମେସିନ, ଫ୍ରିଜ୍‌ ଓ ଅନ୍ୟାନ୍ୟ ଆସବାବପତ୍ର ଜଳିଯାଇଛି। ଏହି ସମୟରେ ଘର ଭିତରେ ଥିବା ଚିତ୍ତଙ୍କ ପତ୍ନୀ ସୁପ୍ରଭା ରାଉତରାୟ ଅଳ୍ପକେ ବର୍ତି ଯାଇଛନ୍ତି। କେବଳ ସେତିକି ନୁହେଁ, ହାଡ଼ିବନ୍ଧୁ ପିପିଲିରେ ରହୁଥିବା ନିଜ ପିଉସୀ ଝିଅ ଭଉଣୀ ବିନୋଦିନୀଙ୍କ ଉପରକୁ ଗୁଳିମାଡ଼ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବଡ଼ଭାଇର ଏଭଳି କାର୍‌ନାମା ନେଇ ଚିତ୍ତରଞ୍ଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ହାଡ଼ିବନ୍ଧୁ ଓ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ଦିନ ହାଡ଼ିବନ୍ଧୁ ରାଉତରାୟ କିଛି ସହଯୋଗୀଙ୍କ ସହ ଚିତ୍ତଙ୍କ ଘରେ ନିଆଁ ଲଗାଇ ଦେଇଥିଲା। ଏନେଇ ଚିତ୍ତ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁକରି ଦୁଇ ଅଭିଯୁକ୍ତ ସୁକାନ୍ତି ରାଉତରାୟ ଓ ସଂଜୟ ଧୋବା ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହାଡ଼ିବନ୍ଧୁ ସେତେବେଳେ ପୁଲିସକୁ ଚକମା ଦେଇ ଫେରାର ହୋଇ ଯାଇଥିଲା। ସେହି ରାଗରେ ସେ ପୁଣି ରକ୍ତମୁଖା ହୋଇ ଚିତ୍ତ ଓ ତାଙ୍କ ପରିବାରକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ହାଡ଼ିବନ୍ଧୁ ଓ ତା’ର କିଛି ସହଯୋଗୀ ମିଶି ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଆଖଣ୍ଡଳମଣି ବସ୍ତିରେ ରହୁଥିବା ଚିତ୍ତଙ୍କ ଘର ଉପରକୁ ଲଗାତାର ୭ଟି ବୋମା ମାଡ଼ କରିଥିଲେ। ଫଳରେ ଶୋଇବା ଘର ଓ ରୋଷେଇ ଘର ଜଳି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ଯାଇଥିଲା। ଜୀବନ ବିକଳରେ ଚିତ୍ତଙ୍କ ସ୍ତ୍ରୀ ସୁପ୍ରଭା ଘରୁ ଦୌଡ଼ି ବାହାରକୁ ପଳାଇବାରୁ ଅଳ୍ପକେ ବର୍ତି ଯାଇଥିଲେ।

ଏଭଳି ବୋମା ମାଡ଼ ଫଳରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ଆଖପାଖରେ ରହୁଥିବା ଲୋକେ ଭୟରେ ସ୍ଥାନ ଛାଡ଼ି ପଳାଇଥିଲେ। ଅପର ପକ୍ଷରେ ପ୍ରତିଶୋଧ ନିଆଁରେ ଜଳୁଥିବା ହାଡ଼ିବନ୍ଧୁ ହିତାହିତ ଜ୍ଞାନ ହରାଇ ପୁବାଶାସନରେ ରହୁଥିବା ନିଜ ପିଉସୀ ଝିଅ ଭଉଣୀ ବିନୋଦିନୀଙ୍କ ଘରକୁ ଯାଇ ଚିତ୍ତଙ୍କ ୪ବର୍ଷର ଝିଅକୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଖୋଜାଖୋଜି କରିଥିଲା। ତେବେ ସେଠାରେ ଝିଆରିକୁ ନପାଇବାରୁ ତାଙ୍କ ଭଉଣୀ ବିନୋଦିନୀଙ୍କୁ ଗାଳିଗୁଲଜ କରିଥିଲା। ଏହାକୁ ବିନୋଦିନୀ ବିରୋଧ କରିବାରୁ ହାଡ଼ିବନ୍ଧୁ ଉତ୍ତ୍ୟକ୍ତ ହୋଇ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଆଉ ଗୁଳିଟି ବିନୋଦିନୀଙ୍କ ଡାହାଣ ଗୋଡ଼ ଆଣ୍ଠୁରେ ବାଜିବାରୁ ସେ ଗୁରୁତର ହୋଇ ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବାଳକାଟି ହସ୍ପିଟାଲ ଏବଂ ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗରୁତରୁ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌ ସ୍ଥାନାନ୍ତର କରାଯାଇଥିଲା।ଏ ନେଇ ମଞ୍ଚେଶ୍ୱର ଥାନାର ଇନସ୍ପେକଟର କେ.ପି ମିଶ୍ର କହିଛନ୍ତି ଯେ ଅଭିଯୁକ୍ତକୁ ଧରିବା ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛୁ। ଖୁବ୍‌ ଶୀଘ୍ର ସମସ୍ତ ଅପରାଧୀଙ୍କୁ ଆମେ ଗିରଫ କରିବୁ।

୭ ବୋମା ଫିଙ୍ଗି ପରିବାରକୁ ହତ୍ୟା ଉଦ୍ୟମ
୪ ବର୍ଷର ଝିଆରିକୁ ଟାର୍ଗେଟ କରିଥିଲା
ଗୁଳି ମାଡ଼ରେ ପିଉସୀ ଝିଅ ଭଉଣୀ ଗୁରୁତର
୫ ଦିନ ପୂର୍ବରୁ ଭାଇ ଘରେ ନିଆଁ ଲଗାଇଥିଲା

ଝିଆରିକୁ ବଞ୍ଚାଇବାକୁ ଯାଇ ଗୁଳି ଖାଇଲେ ବିନୋଦିନୀ
ଉତ୍ତରାଫାଣ୍ଡି ଅଧୀନ ପୁବାଶାସନ ଗ୍ରାମର ଗଙ୍ଗାଧର ଭଉଳଙ୍କ ପତ୍ନୀ ବିନୋଦିନୀ(୫୨) ହେଉଛନ୍ତି ଅଭିଯୁକ୍ତ ହାଡ଼ିବନ୍ଧୁର ପିଉସୀ ଝିଅ ଭଉଣୀ। ତାଙ୍କ ଘରେ ରହୁଥିବା ମାମୁ ପୁଅ ଭାଇ ଚିତ୍ତରଂଜନର ଚାରି ବର୍ଷର ଝିଅକୁ ବଞ୍ଚାଇବାକୁ ଯାଇ ବିନୋଦିନୀ ଆଜି ରକ୍ତମୁଖା ହୋଇ ଉଠିଥିବା ଆଉ ଜଣେ ଭାଇ ହାଡ଼ିବନ୍ଧୁର ଗୁଳି ଖାଇବାକୁ ପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ହାଡ଼ିବନ୍ଧୁ ଓ ତା’ର ସହଯୋଗୀମାନେ ଆଖଣ୍ଡଳମଣି ବସ୍ତିରେ ଥିବା ନିଜ ସାନଭାଇ ଚିତ୍ତଙ୍କ ଘରେ ବୋମାମାଡ଼ କରିବା ପରେ ବି ତା’ର ରାଗ ଶାନ୍ତ ହୋଇ ନ ଥିଲା। କୌଣସି ସୂତ୍ରରୁ ସେ ଜାଣିବାକୁ ପାଇଥିଲା ଯେ ଚିତ୍ତଙ୍କ ୪ ବର୍ଷର ଝିଅ ପୁବାଶାସନରେ ରହୁଥିବା ବିନୋଦିନୀଙ୍କ ଘରେ ରହୁଛି। ତେଣୁ ସେ ତା’କୁ ହତ୍ୟା କରିବା ପାଇଁ ତୁରନ୍ତ ସେଠାକୁ ମାଡ଼ି ଯାଇଥିଲା। ତେବେ ହାଡ଼ିବନ୍ଧୁଙ୍କୁ ଏଭଳି ଉନ୍ମତ୍ତ ଅବସ୍ଥାରେ ଦେଖି ବିନୋଦିନୀ ଏହାର ପ୍ରତିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ହାଡ଼ିବନ୍ଧୁ ତାଙ୍କ ଗୋଡ଼କୁ ଗୁଳି କରି ଦେଇଥିଲା। ଏହି ଗୁଳିକାଣ୍ଡ ସମୟରେ ପରିବାରରେ କେହି ପୁରୁଷ ସଦସ୍ୟ ନଥିଲେ । ଏପଟେ ଘର ଭିତରେ ଗୁଳି ଶବ୍ଦ ଓ ବିନୋଦିନୀଙ୍କ ଚିତ୍କାର ଶୁଣି ହଠାତ୍‌ ପଡ଼ୋଶୀମାନେ ପ୍ରଥମେ କିଛି ବୁଝି ପାରିନଥିଲେ। ସ୍ଥାନୀୟ ଲୋକ ପହଞ୍ଚିଲା ବେଳକୁ ହାଡ଼ିବନ୍ଧୁ ବାଇକ୍‌ ନେଇ ଖସି ପଳାଇଥିଲା । ପରେ ଏ ସଂପର୍କରେ ଖବର ପାଇ ଉତରାଫାଣ୍ଡି ଅଧିକାରୀ ବେଣୁଧର ରାୟ ଓ ପୁଲିସ ଟିମ୍‌ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ଗୁଳିମାଡ଼ ସ୍ଥାନରୁ ଗୋଟିଏ ପୁଲିସ ଏକ ଖୋକା ଜବତ କରିବା ସହିତ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ଉତ୍ତରା ଫାଣ୍ଡିରେ ବିଭିନ୍ନ ଦଫାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । ହାଡ଼ିବନ୍ଧୁକୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଥିବା ଥାନାର ବରିଷ୍ଠ ଅଧିକାରୀ କହିଛନ୍ତି ।

 

ସମ୍ବନ୍ଧିତ ଖବର