ଜୟମାଳା ପୂର୍ବରୁ ଜଣା ପଡ଼ିଲା ଏଭଳି ସତ, ବରକୁ ଚପଲରେ ପିଟିଲେ କନ୍ୟା

ବୁଲନ୍ଦସହର: ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଜୟମାଳା ପୂର୍ବରୁ ଜଣେ କନ୍ୟା ବରକୁ ଚପଲରେ ପିଟିଥିବାର ଏକ ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ, ଏହି ଘଟଣା ପରେ ଗ୍ରାମବାସୀ ବର ସମେତ ବରଯାତ୍ରୀଙ୍କୁ ଅଟକ ରଖି ଦେଇଥିଲେ। ବରଯାତ୍ରୀଙ୍କୁ ଅଟକ ରଖିବା ଖବର ମିଳିବା ପରେ ବର ଓ ବରର ପିତାକୁ ଥାନାକୁ ନେଇଛି ପୁଲିସ।

କନ୍ୟାର କହିବାନୁସାରେ, ଜୟମାଳା ପୂର୍ବରୁ ତାଙ୍କ ହ୍ଵାଟସ୍‌ ଆପ୍‌କୁ ଆସିଥିବା ମେସେଜ ଜରିଆରେ ସେ ଜାଣିବାକୁ ପାଇଲେ କି ବର ପୂର୍ବରୁ ବିବାହିତ ।

ବୁଲନ୍ଦସହର କୋତବାଲି ଦେହାତସ୍ଥିତ ଗ୍ରାମରେ ବସବାସ କରୁଥିବା ଜନୈକା ପିତା ତାଙ୍କ କନ୍ୟାର ବିବାହ ଖୁର୍ଜ ଜଙ୍କସନ୍‌ ଚୌକିସ୍ଥିତ ଗ୍ରାମର ଗୋଠନିରେ ସ୍ଥିର କରିଥିଲେ। ଶନିବାର ବର ତାର ବରଯାତ୍ରୀଙ୍କୁ ଧରି କନ୍ୟା ଘରେ ପହଞ୍ଚିଥିଲା। ଏଯାବତ୍‌ ସବୁକିଛି ଠିକଠାକ୍‌ ଥିଲା। ବର ଓ କନ୍ୟା ଉଭୟ ପକ୍ଷର ଲୋକମାନେ ଖୁସିରେ ନୃତ୍ୟ କରିବାରେ ଲାଗିଥିଲେ। ଯେତେବେଳେ ବର ଜୟମାଳା ପାଇଁ ପ୍ରସ୍ତୁତ ହେଉଥିଲା ସେତେବେଳେ କନ୍ୟା ପକ୍ଷରୁ ଜଣେ ମହିଳା ବରର ଫୋନ୍‌ ଦେଖି ଦେଇଥିଲେ। ମୋବାଇଲ ମେସେଜରୁ ଜଣାପଡ଼ିଥିଲା କି ବର ନୋଏଡାର ଏକ ମଲରେ କାମ କରୁଛି। ତିନିମାସ ପୂର୍ବରୁ ସେହି ମଲରେ କାମ କରୁଥିବା ଜଣେ ଯୁବତୀଙ୍କୁ ସେ କୋର୍ଟ ମ୍ୟାରେଜ କରିସାରିଛି।

ଏହାପରେ ସାଙ୍ଗ କନ୍ୟାକୁ ସମସ୍ତ ମେସେଜ ପଢ଼ାଇଥିଲା। ମେସେଜ ପଢ଼ିବା ପରେ କନ୍ୟାର ପାଦ ତଳୁ ମାଟି ଖସି ଯାଇଥିଲା। ସେ ତୁରନ୍ତ ବର ପାଖକୁ ଯାଇ ଚପଲରେ ପିଟିଥିଲା। ପ୍ରଥମେ ପରିବାରବର୍ଗ ଏହି ଘଟଣା ସମ୍ପର୍କରେ କିଛି ବୁଝି ପାରି ନଥିଲେ। କନ୍ୟାଠାରୁ ସମସ୍ତ ଘଟଣା ଜାଣିବା ପରେ ବର ଓ ବରଯାତ୍ରୀଙ୍କୁ ପରିବାର ବର୍ଗ ଅଟକ ରଖିଥିଲେ। କନ୍ୟା ଦୁଃଖରେ ଭାଙ୍ଗି ପଡ଼ି ନିଜ ଶରୀରୁ ସମସ୍ତ ଅଳଙ୍କାର ଓ ପୋଷାକ ଟାଣି ହୋଟାରି ବାହାର କରି ଦେବା ସହ କାନ୍ଥରେ ବାଡେଇ ବାଡେଇ ପିନ୍ଧି ଥିବା ଚୁଡ଼ିକୁ ଭାଙ୍ଗି ଦେଇଥିଲା।

ସମ୍ବନ୍ଧିତ ଖବର