ବିବାହ ବେଦୀରୁ ବରକୁ ଫେରାଇ ଦେଲେ କନିଆ

ମୋରଦାବାଦ: ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସରି ଥିଲା। ହୋଟେଲ ବୁକ୍‌ ହୋଇଥିଲା। ବନ୍ଧୁବାନ୍ଧବମାନେ ଆସି ପହଞ୍ଚି ସାରିଥିଲେ। ସମସ୍ତ ପରିବେଶ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ହୋଟେଲର ଏକ ରୁମ୍‌ରେ ଝିିଅର ବାପା କଇଁ କଇଁର୍ ହୋଇ କାନ୍ଦୁଥିବା ଜଣା ପଡ଼ିଥିଲା। ବାପାଙ୍କୁ କାନ୍ଦୁଥିବାର ଦେଖି ମଙ୍ଗୁୁଳା କନ୍ୟା ସ୍ତବ୍ଧ ହୋଇ ଯାଇଥିଲେ। ବାପାଙ୍କ ଠାରୁ ତାଙ୍କ କାନ୍ଦର କାରଣ ଜାଣିବା ପରେ ବିବାହ ବେଦୀରୁ ବରକୁ ଫେରାଇ ଦେଇଥିଲେ ଏହି ସାହସୀ ଯୁବତୀ। କେବଳ ସେତିକି ନୁହେଁ, ତାଙ୍କ ବିବାହ ସ୍ଥିର ହୋଇଥିବା ଯୁବକ, ତାଙ୍କ ବାପା ମାଆଙ୍କ ନାମରେ ମଧ୍ୟ ଥାନାରେ ଯୌତୁକ ନିର୍ଯାତନା ମାମଲା ରୁଜୁ କରିଥିଲେ ଯୁବତୀ ଜଣକ। ଯୌତୁକ ପାଇଁ ପ୍ରତିଦିନ ଭାରତର ବିଭିନ୍ନ କୋଣ ଅନୁକୋଣରେ ମହିଳା, ଯୁବତମାନେ ନିର୍ଯାତିତା ହେଉଥିବା ବେଳେ ଏହି ଘଟଣା ଯୌତୁକ ମାଗୁଥିବା ବରଘର ବିରୋଧରେ ସ୍ୱର ଉଠାଇବାକୁ ଅନ୍ୟ ଯୁବତୀମାନଙ୍କୁ ଉତ୍ସାହିତ କରିବ ବୋଲି ପୁଲିସ କହିଛି।
ମୋରାଦାବାଦସ୍ଥିତି ଆହ୍ଲାବାଦ ବ୍ୟାଙ୍କ୍‌ର ବରିଷ୍ଠ ପରିଚାଳକ ଭାବେ କାର୍ଯ୍ୟ କରନ୍ତି କମଲ ସିଂହ। ତାଙ୍କ ଝିଅ ଜଣେ ସ୍ୱର୍ଣ୍ଣ ପଦକ ବିଜେତା ଇଞ୍ଜିନିୟର ଜ୍ୟୋତି ସିଂହ । ଜ୍ୟୋତିଙ୍କର ବେଙ୍ଗାଲୁରଠାରେ ଇଣ୍ଟେରିୟର ଇଞ୍ଜିନିୟର ଥିବା ଆଶିଷ କୁମାରଙ୍କ ସହିତ ବିବାହ ସ୍ଥିର ହୋଇଥିଲା। ମାତ୍ର ବିବାହ ଦିନ ବରଘର ପକ୍ଷରୁ ୧୧ ଲକ୍ଷ ନଗଦ ଟଙ୍କା ଓ ଏକ କାର ଯୌତୁକ ଆକାରରେ ଦେବା ପାଇଁ କମଲ ସିଂହଙ୍କୁ କୁହାଗଲା। ମାତ୍ର ଏତେ କମ୍‌ ସମୟ ମଧ୍ୟରେ ଏତେ ଟଙ୍କା ଯୋଗାଡ଼ କରି ନ ପାରି ଶ୍ରୀ ସିଂହ ହୋଟେଲର ଏକ କୋଠରିରେ ବସି କାନ୍ଦୁଥିବା ବେଳେ ଝିଅ ଜ୍ୟୋତି ସେଠାରେ ପହଞ୍ଚିଥିଲେ। ବାପାଙ୍କ ଠାରୁ ଯୌତୁକ ଦାବି କଥା ଶୁଣିବା ପରେ ସଙ୍ଗେ ସଙ୍ଗେ ଏ ନେଇ ଜ୍ୟୋତି ପୁଲିସକୁ ଫୋନ କରିଥିଲେ। ପୁଲିସ ହୋଟେଲରେ ପହଞ୍ଚିବା ପରେ ଜ୍ୟୋତି ଆଶିଷ କୁମାର, ତାଙ୍କ ବାପା, ମାଆଙ୍କ ନାମରେ ଯୌତୁକ ନିର୍ଯାତନା ନେଇ ଏକ ମାମଲା ଦାୟକ କରିଥିଲେ।
ଏ ସମ୍ପର୍କରେ ମଜହୋଲା କୋଟଓ୍ଵାଲି ଥାନା ର ସର୍କଲ ଇନସପେକଟର ରିଆଜ୍‌ ଅଖତର କହିଛନ୍ତି ଯେ ଜ୍ୟୋତିଙ୍କ ଅଭିଯୋଗକ୍ରମେ ଯୌତୁକ ନିର୍ଯ୍ୟାତନା ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର