ହତ୍ୟା ଧମକ : ତାଲା ଭାଙ୍ଗି ଘରେ ପଶିଲେ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ତାରାସୁନ୍ଦରୀ ରୋଡ୍‌ରେ ଥିବା ଅଂଶୁମାନ ଶତପଥୀଙ୍କ ଘରର ଉପର ମହଲାକୁ ଦଖଲ କରି ଜଣେ ଯୁବକ ଜୋରଜବରଦସ୍ତ ରହିଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି। ପୁଲିସ ସୂଚନା ଅନୁଯାୟୀ, ତାରାସୁନ୍ଦରୀ ରୋଡ୍‌ ପ୍ଲଟ୍‌ ନଂ-୧୪୯୭ରେ ଅଂଶୁମାନ ଶତପଥୀ ରୁହନ୍ତି। ତାଙ୍କ ମା’ ଅବନ୍ତୀ ତ୍ରିପାଠୀ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବାପା ଶଯ୍ୟାଶାୟୀ ଅଛନ୍ତି। ଏହି ସୁଯୋଗରେ ଏକ ସଂସ୍ଥାର କେୟାର ଟେକର୍‌ ଭାବେ କାର୍ଯ୍ୟ କରୁଥିବା ରାଜେଶ ନାମକ ଜଣେ ଯୁବକ ତାଙ୍କ ଘରର ଉପର ମହଲାକୁ ଦଖଲ କରି ସେଠାରେ ଜୋର ଜବରଦସ୍ତ ରହୁଛନ୍ତି। ତାଙ୍କ ସହ ଜଣେ ବୃଦ୍ଧ ଓ ୨ଜଣ ବୃଦ୍ଧା ମଧ୍ୟ ରହୁଛନ୍ତି। ଅଂଶୁମାନ ଏହାର ପ୍ରତିବାଦ କରିବାରୁ ରାଜେଶ ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ। ଏନେଇ ଅଂଶୁମାନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ପରିବାର ପ୍ରତି ବିପଦ ଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ନମ୍ବର ୨୧୧/୧୭ରେ ଏକ ମାମଲା ରୁଜୁ କରିଛି। ତେବେ ଏନେଇ ରାଜେଶଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର