ବ୍ରାଉନ୍‌ ସୁଗାର ବ୍ୟବସାୟୀ ଗିରଫ, ୧୦ ହଜାର ଟଙ୍କା ଜବତ

ଭୁବନେଶ୍ବର : କୁଇକ୍‌ ଆକ୍ସନ ଟିମ୍‌ ଓ ସହିଦନଗର ଥାନା ପୁଲିସ ମିଳିତ ଚଢ଼ଉ କରି ଆଜି ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ପୁଲିସ ତା’ଠାରୁ ୨୦ଗ୍ରାମ୍‌ ବ୍ର‌ାଉନ ସୁଗାର, ୧୦ହଜାର ଟଙ୍କା, ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି। ସେ ହେଲା ୟୁନିଟ୍‌-୧ ଅଞ୍ଚଳର ଶିବବ୍ରତ ପଟ୍ଟନାୟକ ଓରଫ ପିଣ୍ଟୁ(୨୮)। ଜବତ ବ୍ରାଉନ୍‌ ସୁଗାରର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରିଛି।

ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ପିଣ୍ଟୁ ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଥିଲା। ସେ ବାଲେଶ୍ବରରୁ ବ୍ରାଉନ୍‌ ସୁଗାର ଆଣି ରାଜଧାନୀର ବିଭିନ୍ନ ଅଞ୍ଚଳରେ ବ୍ୟବସାୟ କରୁଥିଲା। ପିଣ୍ଟୁ ବିଷୟରେ କ୍ୟୁଏଟି ହାତରେ ଖବର ଲାଗିବା ପ‌ରେ ତାର ଗତିବିଧି ଉପରେ କଡ଼ା ନଜର ରଖାଯାଇଥିଲା। ଆଜି ଅପରାହ୍‌ଣରେ ଟଙ୍କପାଣି ରୋଡ୍‌ ନିକଟରେ କେତେଜଣ ଗ୍ରାହକଙ୍କୁ ଡାକିଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ କ୍ୟୁଏଟି ଓ ସହିଦନଗର ଥାନା ପୁଲିସ ସାଦା ପୋଷାକରେ ସେଠାରେ ଛକି ରହିଥିଲେ। ଜଣେ ପୁଲିସ ଅଧିକାରୀଙ୍କୁ ପିଣ୍ଟୁ ଚିହ୍ନିପାରି ସେଠାରୁ ଫେରାର୍‌ ଉଦ୍ୟମ କରିଥିଲା। ହେଲେ ପୁଲିସ ତାକୁ କାବୁ କରି ନେଇଥିଲା। ପଚରା ଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର