ବ୍ରାଉନ୍ ସୁଗାର ଜବତ, ୨ ଭାଇ ଗିରଫ

ଖଣ୍ଡଗିରି: ଗୁରୁବାର ସନ୍ଧ୍ୟାରେ କୁଇକ୍‌ ଆକ୍ସନ ଟିମ୍‌ ଓ ଜଟଣୀ ଥାନା ପୁଲିସ ମିଳିତଭାବେ ଚଢ଼ଉ କରି ୧୬ ନମ୍ବର ଜାତୀୟ ରାଜପଥ ପିତାପଲ୍ଲୀ ଛକରୁ ବ୍ରାଉନ୍ ସୁଗାର ବେପାର କରୁଥିବା ଦୁଇ ଭାଇଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଖୋର୍ଧା ରାଧାବଲ୍ଲଭ ସାହିର ଶୁଭେନ୍ଦୁ ପରିଡ଼ା(୩୭) ଓ ସାନ ଭାଇ ଶୁଭ୍ରାଂଶୁ ପରିଡ଼ା ଓରଫ୍ ଛୋଟା(୩୩)। ପୁଲିସ ସେମାନଙ୍କଠାରୁ ୧୫ ଗ୍ରାମ୍ ବ୍ରାଉନ୍ ସୁଗାର, ଲକ୍ଷେ ଷାଠିଏ ହଜାର ଟଙ୍କା ଓ ଗୋଟିଏ ପଲସର୍ ବାଇକ୍‌ (ଓଡି୦୨ଏଏଚ୍-୩୫୪୬) ଜବତ କରିଛି। ଅଧିକ ତଦନ୍ତ ଜାରି ରହିଛି ଓ ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନାନୁସାରେ ଏହି ଦୁଇ ଭାଇ ପେସାଦାର ବେପାରୀ। ଦୀର୍ଘ ବର୍ଷ ହେଲା ଏମାନେ ଖୋର୍ଧା ଟାଉନ୍ ଓ ଆଖପାଖ ଅଞ୍ଚଳରେ ଖୁଚୁରା ବେପାରୀଙ୍କୁ ମାଲ୍ ଯୋଗାଇ ଆସୁଥିଲେ। ଏମାନେ ବାଲେଶ୍ବର ଓ ଯାଜପୁର ଛତିଆ ଅଞ୍ଚଳରୁ ମାଲ୍ ଆଣି ଭୁବନେଶ୍ବର ଓ ଖୋର୍ଧାରେ ବେପାର କରନ୍ତି। ଆଜି ଦୁଇ ଭାଇ ବାଲେଶ୍ବରରୁ ମାଲ୍ ନେଇ ଫେରିଥିଲେ ଓ ଭୁବନେଶ୍ବରରେ ବିକ୍ରି କରିବା ପରେ ଅବଶିଷ୍ଟ ମାଲ୍ ନେଇ ଖୋର୍ଧା ଫେରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି କୁଇକ୍‌ ଆକ୍ସନ ଟିମ୍, ଜଟଣୀ ଥାନା ପୁଲିସ ଓ ଯାଁଳା ଫାଣ୍ଡି ପୁଲିସ ପିତାପଲ୍ଲୀ ଛକରେ ଜଗି ବସିଥିଲେ। ଦୁଇ ଭାଇ ପିତାପଲ୍ଲୀ ଛକରେ ପୁଲିସ ସେମାନଙ୍କୁ ଅଟକାଇଥିଲା।

ସମ୍ବନ୍ଧିତ ଖବର