କାର୍‌ରୁ ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି: ମଙ୍ଗଳବାର ରାଜଧାନୀରୁ ପୁଣି ଜବତ ହୋଇଛି ୧୦୦ ଗ୍ରାମ୍‌ ବ୍ରାଉନ୍‌ସୁଗାର। ଅବକାରୀ ବିଭାଗର ‌ମୋବାଇଲ୍‌ ସ୍କ୍ବାଡ୍‌ ହାତରେ ଧରାପଡ଼ିଥିବା ଦୁଇ ବେପାରୀଙ୍କଠାରୁ ଏହି ବିପୁଳ ପରିମାଣର ଧଳା ଜହର ଜବତ କରାଯାଇଛି। ଅଭିଯୁକ୍ତ ବେପାରୀଦ୍ବୟ ହେଲେ, କଟକ ବାଙ୍କୀ ଥାନା ଅନ୍ତର୍ଗତ ଜାମୁଝରି ଗାଁର ଅଜୟ ପ୍ରଧାନ ଓ ସନାତନ ପ୍ରଧାନ। ଜବତ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଜାମିନ୍ ନାମଞ୍ଜୁର ହେବାରୁ ଉଭୟଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତଦ୍ବୟ ଜଳେଶ୍ବରରୁ ମାଲ୍ ଆଣି ରାଜଧାନୀ ସମେତ କଟକ, ପୁରୀ, ଖୋର୍ଧା ଆଦି ସହରର ଖୁଚୁରା ବେପାରୀଙ୍କ ଚାଲାଣ କରିଥାନ୍ତି। କିଛି ଦିନ ହେଲା, ଏହି ଦୁଇଜଣଙ୍କୁ ଗିରଫ କରିବା ପାଇଁ ଅବକାରୀ ବିଭାଗ ଜାଲ ବିଛାଇଥିଲା। ଆଜି ସେମାନେ ଜଳେଶ୍ବରରୁ ଭୁବନେଶ୍ବର ଆସୁଥିବା ଖବର ପାଇ ଅବକାରୀ ସ୍କ୍ବାଡ୍‌ ଟଙ୍କପାଣି ରୋଡ୍‌ ସାଇ ମନ୍ଦିର ଛକରୁ ଉତ୍ତରା ଛକ ମଧ୍ୟରେ ଛକି ରହିଥିଲା। ଅପରାହ୍ଣ ପ୍ରାୟ ୨ଟା ବେଳେ ଏମାନେ ଏକ କାର୍‌ରେ ଧଉଳି ଛକସ୍ଥିତ ଏକ ବାଇକ୍‌ ସୋ’ରୁମ୍‌ ନିକଟରେ ଅଟକିଥିଲେ। ସେଠାରେ ଦୁଇଜଣ ଖୁଚୁରା ବେପାରୀଙ୍କୁ ମାଲ୍ ଯୋଗାଇବାର ଥିଲା। କିନ୍ତୁ ଏହା ପୂର୍ବରୁ ଅବକାରୀ ସ୍କ୍ବାଡ୍‌ ସେମାନଙ୍କୁ କାବୁ କରିନେଇଥିଲା। ଏମାନେ ପେସାଦାର ବେପାରୀ ବୋଲି ଜଣାପଡ଼ିଛି ଓ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି। ଅବକାରୀ ଅଧୀକ୍ଷକ ପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶରେ ଚଢ଼ଉ କରିଥିବା ଏହି ଟିମ୍‌ରେ ଏସ୍‌ଆଇ ହୃଦୟଚନ୍ଦ୍ର ସାମନ୍ତ, ଏଏସ୍‌ଆଇ ସୁବାସ ଚନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ଜେନା, ସୁଜିତ୍ ମୁଦୁଲି, ହିତାଂଶୁ ମଲ୍ଲିକ ଓ ଅନ୍ୟ କର୍ମଚାରୀମାନେ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର