ଭୁବନେଶ୍ଵର: କୁଇକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ମିଳିତ ଟିମ୍ ଆଜି ହଳଦୀ ପଡ଼ିଆ ବସ୍ତିରେ ଚଢ଼ଉ କରି ୧୯.୪୦ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିବା ସହ ଏହି ବ୍ୟବସାୟରେ ସମ୍ପୃକ୍ତ ଜଣେ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ହେଉଛନ୍ତି ମଇନ ରାଉତରାୟ। ବ୍ରାଉନ୍ ସୁଗାର ସହ ତାଙ୍କ ନିକଟରୁ ୩୭, ୬୪୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍ ସୁଗାରର ବଜାର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରିଛି। ମହିଳା ଜଣକ ଅନେକ ଦିନ ହେବ ଏହି ବ୍ୟବସାୟରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତ ବେଳେ ଜାଣି ପାରିଛି। ବ୍ରାଉନ୍ ସୁଗାର୍କୁ ଛୋଟ ଛୋଟ ପ୍ୟାକେଟ୍ କରି ବିକ୍ରି କରିବା ଯୋଜନା କରାଯାଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏହି ଟିମ୍ ଚଢ଼ଉ କରିଥିବା ପୁଲିସ କହିଛି। ଗତକାଲି ଖଣ୍ଡଗିରି ଅଞ୍ଚଳରେ ୧୪ ଗ୍ରାମ୍ ଜବତ କରାଯାଇଥିବା ବେଳେ ୨୪ ଘଣ୍ଟା ଭିତରେ ଏହା ଦ୍ବିତୀୟ ଘଟଣା। ଏ ନେଇ ଏକ ମାମଲା ରୁଜୁ କରାଯିବା ସହ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏସ୍ଆଇ ନରେନ୍ଦ୍ର ପାଲ ଘଟଣାର ତଦନ୍ତ କରୁଛନ୍ତି। ଅଭିଯୁକ୍ତକୁ ପଚରାଉଚରା କରାଯାଇଛି। ତା’ଠାରୁ ମିଳିଥିବା ତଥ୍ୟ ମୁତାବକ ଏମାନଙ୍କୁ ଏହି ନିଶାଦ୍ରବ୍ୟ ଯୋଗାଉଥିବା ଜଣେ ବଡ଼ ବ୍ୟବସାୟୀଙ୍କୁ ଠାବ କରାଯାଉଛି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଉଲ୍ଲେଖନୀୟ, ୨୦୧୮ରେ ୮୪ ଲକ୍ଷ ଟଙ୍କା ମୂଲ୍ୟର ୮୩୩.୧୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବାରେ କମିସନରେଟ୍ ପୁଲିସ ରେକର୍ଡ କରିଛି। ଏଥିରେ ସମ୍ପୃକ୍ତ ୪୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। କିନ୍ତୁ ଜଣେ ହେଲେ ମୂଳ ବ୍ୟବସାୟୀକୁ ପୁଲିସ ଗିରଫ କରିପାରି ନାହିଁ। ନିଶାଦ୍ରବ୍ୟ କେଉଁଠୁ ଆସୁଛି, କିଏ ଦେଉଛି, ନିଶାଦ୍ରବ୍ୟ ଆସିବା ବେଳେ ଗୁଇନ୍ଦା କାହିଁକି ଖବର ପାଇ ପାରୁନାହିଁ ଏଭଳି ଅନେକ ପ୍ରଶ୍ନ ପୁଲିସ ପାଖରେ ଅସମାହିତ ହୋଇ ରହିଛି।
ବ୍ରାଉନ୍ ସୁଗାର ଜବତ,ମହିଳା ଗିରଫ
/sambad/media/post_attachments/wp-content/uploads/2019/02/Untitled-27.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)