୭୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଦୁଇ ଗିରଫ

ବାରଙ୍ଗ/ଖଣ୍ଡଗିରି : ଆଜି ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ମୋଟ ୭୬ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ ହୋଇଛି। ବାରଙ୍ଗ ରେଳଷ୍ଟେସନ୍‌ ନିକଟରୁ ୫୫ ଗ୍ରାମ୍‌ ଓ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌ ନିକଟରୁ ୨୧ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହାସହ ଏହି ବେଆଇନ କାରବାର ଚଳାଇଥିବା ୨ ବେପାରୀଙ୍କୁ ଗିରଫ କରାଯାଇଛି।

କଟକ ଅବକାରୀ କେନ୍ଦ୍ର ଗୁଇନ୍ଦା ବିଭାଗ କର୍ମଚାରୀମାନେ ଆଜି ବାରଙ୍ଗ ରେଳ ଷ୍ଟେସନ୍‌ ନିକଟରେ ଚଢ଼ଉ କରି ୫୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଏହାସହ ଏହି ବେଆଇନ କାରବାର ଚଳାଇଥିବା ଜଣେ ବେପାରୀକୁ ଗିରଫ କରାଯାଇଛି। ସେ ହେଲା, ସ୍ଥାନୀୟ ପଦାସାହି ଗ୍ରାମର ରମେଶ ଚନ୍ଦ୍ର ବେଉରା। ପୁଲିସ ସୂଚନା ଅନୁଯାୟୀ, ଗତ ବର୍ଷ ମେ’ ୨ ତାରିଖ‌ରେ ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତା’ ନିକଟରୁ ୧୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା। ତେବେ ଜେଲ୍ ଦଣ୍ଡ ଭୋଗି ସାରି ସେ ନିକଟ ଅତୀତରେ ଫେରିଥିଲା। ଗତ କିଛି ଦିନ ତଳେ ସେ ପୁଣିଥରେ ବ୍ରାଉନ୍‌ସୁଗାର କାରବାର କରୁଥିବା ଅଭିଯୋଗ ପାଇବା ପରେ ଅବକାରୀ ଗୁଇନ୍ଦା ବିଭାଗ ତା’ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତେବେ ଆଜି ସେ ଏହି ଧଳା ଜହର ବେପାର କରିବାକୁ ନେଉଥିବା ବେଳେ ଅବକାରୀ ଗୁଇନ୍ଦା କର୍ମଚାରୀମାନେ ତାକୁ ମାଡ଼ି ବସିଥିଲେ। ତେବେ ଏହି ଜହର କାରବାରରେ ପୁଲିସ ଏମିତି କିଛି ବ୍ୟବସାୟୀଙ୍କୁ ଗିରଫ କରୁଥିଲେ ହେଁ ଅସଲ ଅଭିଯୁକ୍ତ ଉଢ଼ୁଆଳରେ ରହି ଯାଉଛନ୍ତି। ଫଳରେ ସେମାନଙ୍କ ବ୍ୟବସାୟ ଚାଲୁ ରହିଛି। ତେଣୁ ଏହି ବ୍ୟବସାୟର ଚୋର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ତଦନ୍ତ କରାଯିବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।

ଅପରପକ୍ଷେ ଆଜି ସନ୍ଧ୍ୟାରେ ଯାଁଳା ଫାଣ୍ଡି ପୁଲିସ ଓ କ୍ୟୁଏଟିର ମିଳିତ ଉଦ୍ୟମରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌ ନିକଟରୁ ଜଣେ କୁଖ୍ୟାତ ବ୍ରାଉନ୍ ସୁଗାର ବେପାରୀକୁ ଗିରଫ କରାଯାଇଛି। ସେ ହେଲା, ଖୋର୍ଧା ଟାଉନ୍‌ର ସନ୍ତୋଷ କୁମାର ସାହୁ ଓରଫ୍ ହାଡ଼ୁ। ପୁଲିସ ତା’ ନିକଟରୁ ୨୧ଗ୍ରାମ୍‌ର ବ୍ରାଉନ୍ ସୁଗାର ଓ ନଗଦ ୩୫୦୦ଟଙ୍କା ଜବତ କରିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଯାଁଳା ଫାଣ୍ଡି ସୂତ୍ରରୁ ଖବର ମିଳିଛି।

ହାଡ଼ୁ ଦୀର୍ଘ ଦିନ ହେବ ଖୋର୍ଧା ପେଣ୍ଠରୁ ବ୍ରାଉନ୍ ସୁଗାର ନେଇ ଭୁବନେଶ୍ବର ସାଲିଆସାହି ଓ ହଳଦୀପଡ଼ିଆ ବସ୍ତିରେ କାରବାର କରୁଥିଲା। ଏଥିସହିତ ସେ ବରମୁଣ୍ଡା, ଖଣ୍ଡଗିରି ଓ କଳିଙ୍ଗନଗର ଆଦି ଅଞ୍ଚଳରେ ମଧ୍ୟ ଏହି ବିଷ ବେପାର ଚଳାଉଥିଲା। କମିସନରେଟ୍‌ ପୁଲିସ ନିକଟରେ ହାଡ଼ୁ ବାବଦରେ ଖବର ଥିଲେ ବି ତାକୁ ଗିରଫ କରିବା ସମ୍ଭବ ହୋଇନଥିଲା। ଆଜି ସନ୍ଧ୍ୟାରେ ହାଡ଼ୁ ତା’ ବାଇକ୍‌ରେ ମାଲ୍‌ ନେଇ ଖୋର୍ଧାରୁ ଭୁବନେଶ୍ବର ଅଭିମୁଖେ ବାହାରିଥିଲା। ଖବର ପାଇ କ୍ୟୁଏଟି ତାକୁ ଖେର୍ଧାରୁ ପିଛା କରିଥିଲା ଓ ପୂର୍ବରୁ ପ୍ରସ୍ତୁତ ହୋଇ ଯାଁଳା ଫାଣ୍ଡି ପୁଲିସ ଗଙ୍ଗପଡ଼ା ପୁରୁଣା ଟୋଲ ଗେଟ୍‌ ନିକଟରେ ଛକି ରହିଥିଲା। ହାଡ଼ୁ ସେଠାରେ ପହଞ୍ଚିବା ପରେ ପୁଲିସ ଜାଲରେ ପଡ଼ିଥିଲା।

ସମ୍ବନ୍ଧିତ ଖବର