ପୁଣି ବ୍ରାଉନ୍ ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି : ସୋମବାର ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ଭୁବନେଶ୍ବର ଅବକାରୀ ବିଭାଗ ଖଣ୍ଡଗିରି ଅଞ୍ଚଳରେ ବ୍ରାଉନ୍ ସୁଗାର ବେପାର କରୁଥିବା ଅଭିଯୋଗରେ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ସ୍ଥାନୀୟ ଘାଟିକିଆର ରାଘବ ଦାସ(୩୦) ଓ ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳର ମୁନା ସେଠୀ(୨୬)। ସେମାନଙ୍କଠାରୁ ୧୫ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏମାନେ ଖଣ୍ଡଗିରି, କଳିଙ୍ଗନଗର, ତମାଣ୍ଡୋ, ଘାଟିକିଆ ଓ ଭରତପୁର ଆଦି ଅଞ୍ଚଳରେ ଏହି ବେପାର କରୁଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ବର ଅବକାରୀ ଇନ୍‌ସ୍ପେକ୍ଟର ପ୍ରଭାତ କୁମାର ସେଠୀଙ୍କ ସୂଚନାନୁସାରେ ମୁନା ଓ ରାଘବ ଖଣ୍ଡଗିରି ଓ ଆଖପାଖ ଅଞ୍ଚଳରେ ବ୍ରାଉନ୍ ସୁଗାର କାରବାର କରୁଥିବା ନେଇ ବହୁ ଦିନ ହେଲା ଖବର ଥିଲା ଓ ଦୁଇଜଣଙ୍କୁ ଗିରଫ କରିବା ପାଇଁ ବିଭାଗ ପକ୍ଷରୁ ଜାଲ ବିଛା ଯାଇଥିଲା। ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ନିର୍ଦେଶରେ ଆଇଆଇସି ଶ୍ରୀ ସେଠୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଏମାନଙ୍କୁ ପିଛା କରିଥିଲା। ଆଜି ଆଇଆଇସି ଶ୍ରୀ ସେଠୀ ସଦଳବଳେ ଭରତପୁର କଳିଙ୍ଗ ଷ୍ଟୁଡିଓ ଛକରେ ଚଢ଼ଉ କରି ସେମାନଙ୍କୁ ଧରିବାର ସକ୍ଷମ ହୋଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ପାଖରୁ ୧୫ ଗ୍ରାମ୍ ବ୍ରାଉନ୍ ସୁଗାର ଓ ଏକ ପଲସର ବାଇକ୍‌(ଓଡି୩୩କେ-୭୦୩୫) ଜବତ କରାଯାଇଛି। ଅବକାରୀ ବିଭାଗ ଓ କମିସନରେଟ୍‌ ପୁଲିସ ସୂଚନାନୁସାରେ ମୁନା ଓ ରାଘବ ପୂର୍ବରୁ ଏହି ଅଭିଯୋଗରେ ବାରମ୍ବାର ଗିରଫ ହେଉଥିଲେ ବି ଜାମିନ୍‌ରେ ଆସି ପୁଣି ଏହି କାରବାର କରୁଛନ୍ତି। ଆଜି ଚଢ଼ଉ ବେଳେ ଏସ୍ଆଇ ଏଚ୍‌ସି ସାମନ୍ତ, ସୁଜିତ୍ ମୁଦୁଲି ଓ କର୍ମଚାରୀମାନେ ଉକ୍ତ ଟିମ୍‌ରେ ସାମିଲ୍ ହୋଇଥିଲେ।

ସମ୍ବନ୍ଧିତ ଖବର