‘ଏସ୍‌ଟିଏଫ୍‌’ର ଚଢ଼ାଉ: ୬୪ ଦିନରେ କୋଟିଏ ୬୪ ଲକ୍ଷ ୯୦ ହଜାର ଟଙ୍କାର ବ୍ରାଉନ୍‌ ସୁଗାର ଜବତ

ଭୁବନେଶ୍ୱର: ଏସ୍‌ଟିଏଫ୍‌ ବିଗତ ଦୁଇ ମାସ ୪ ଦିନ (୨୦୨୦ ଜାନୁଆରି ୧ ଠାରୁ ମାର୍ଚ୍ଚ ୪ ତାରିଖ) ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରି ୧କିଲୋ ୬୫୯ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି। ଭୁବନେଶ୍ୱର, କଟକ ପୁରୀ, ବାଲେଶ୍ୱର, ଅନୁଗୁଳ, ଖୋର୍ଦ୍ଧା, ପିପିଲି, ଢେଙ୍କାନାଳ, ଭୁବନେଶ୍ୱର ଓ ଭଦ୍ରକ ଆଦି ଅଞ୍ଚଳରୁ ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ମୂଲ୍ୟ ଏକ କୋଟି ୬୪ ଲକ୍ଷ ୯୦ ହଜାର ଟଙ୍କା ବୋଲି ଜଣାଯାଇଛି।

ଏସ୍‌ଟିଏଫ୍‌ ଏହି ସମୟ ମଧ୍ୟରେ ବ୍ରାଉନ୍‌ ସୁଗାର ବ୍ୟତୀତ ୩୨୬ ଗ୍ରାମ୍‌ ଅଫିମ, ନଗଦ ୧୩ ଲକ୍ଷ ୨୧ ହଜାରରୁ ଅଧିକ ଟଙ୍କା, ଏକ ସ୍ୱୟଂଚାଳିତ ପିସ୍ତଲ, ଏକ ମାରୁତି କାର, ଏକ ଏର୍ଟିଗା, ୯ଟି ମୋଟର ସାଇକେଲ୍‌, ବ୍ୟାଙ୍କ ଖାତା ଆଦି ସାମଗ୍ରୀ ଜବତ କରିଛି। ଧଳା ଜହର କାରବାରରେ ସଂପୃକ୍ତ ୨୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଏସ୍‌ଟିଏଫ୍‌ ବୁଧବାର ୩୦୫ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରିବା ସହ ଏହି ବ୍ୟବସାୟରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାମ ହେଲା ପ୍ରିୟବ୍ରତ ଦାସ ଓରଫ ବାବୁ (୨୨)। ସେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ନିବାସୀ ପ୍ରତାପ ଚନ୍ଦ୍ର ଦାସଙ୍କ ପୁଅ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଆଜି ଅତର୍କିତ ଚଢ଼ାଉ କରିଥିଲା। ତେବେ ଘଟଣାସ୍ଥଳରୁ ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଭାଲିଆବାଡ଼ି ଗାଁର ସଂଜୟ ପ୍ରଧାନ ଓରଫ ସଞ୍ଜୁ ଓ ଦୀପକ ସ୍ୱାଇଁ ଫେରାର ହୋଇଯାଇଥିଲେ। ଏସ୍‌ଟିଏଫ୍‌ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ କରିଛି।

ସମ୍ବନ୍ଧିତ ଖବର