ଭୁବନେଶ୍ୱର : ଲକ୍ଷେ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର : ଖାରବେଳ ନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରୁ କମିସନରେଟ୍‌ ପୁଲିସ ଆଜି ଦୁଇଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଉଭୟଙ୍କଠାରୁ ମୋଟ ୧୧.୧୩୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ଅନୁମାନ କରୁଛି। ଅପରାହ୍‌ଣରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସୂଚନା ମୁତାବକ, ଚୌଦ୍ବାରର ରିଙ୍କୁ ମଲ୍ଲିକ ହଳଦୀପଡ଼ିଆ ବସ୍ତିରେ ରାଜୁ ସାହୁ ନାମରେ ଦୀର୍ଘ ଦେଢ଼ ମାସ ହେବ ଛଦ୍ମବେଶରେ ରହିବା ସହ ଏହି କାରବାର ଚଳାଇ ଆସୁଥିଲା। ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ସେ ୪ ନମ୍ବର ମାର୍କେଟ୍‌ ପାଖରେ ଛିଡ଼ା ହେଉଥିଲା। ତା’ ଗତିବିଧିରେ ସନ୍ଦେହ ହେବାରୁ ପୁଲିସ ତା’ ଉପରେ ନଜର ରଖିଥିଲା। ଆଜି ସକାଳ ସାଢ଼େ ୬ଟା ବେଳେ ସେ ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ବେଳେ ପୁଲିସ ତାକୁ ମାଡ଼ି ବସିଥିଲା। ତା’ଠାରୁ ୫. ୧୩୦ ଗ୍ରାମ୍‌ର ବ୍ରାଉନ ସୁଗାର ଜବତ କରାଯାଇଥିଲା। ସେହିଭଳି ସଡ଼କ ବସ୍ତିରେ ରହୁଥିବା ରମେଶ ନାୟକ ଆଜି ଏକ ପାର୍କ ନିକଟରେ ନିଶା ଦ୍ରବ୍ୟ ବିକିବା ବେଳେ କ୍ୟାପିଟାଲ ଥାନା ପୁଲିସ ତାକୁ ଧରିଥିଲା। ତା’ଠାରୁ ୬ ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର