ଗୋଟିଏ ପରିବାରରୁ ୫ ଜଣ ସଦସ୍ୟ କଲେ ଆତ୍ମହତ୍ୟା ଉଦ୍ୟମ; ସପ୍ତାହ ଭିତରେ ୨ଟି ବଡ଼ ଘଟଣା

ମୁମ୍ବାଇ: ଦିଲ୍ଲୀର ବୁରାଡିସ୍ଥିତ ଗୋଟାଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଏବେ ଗଣମାଧ୍ୟମରେ ଛାଇ ରହିଥିବା ବେଳେ ଏବେ ସମାନ ସେହିପରି ଏକ ଘଟଣା ଘଟିଯାଇଛି ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ। ଗୋଟାଏ ପରିବାର ୫ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ଜାଣିବାକୁ ମିଳିଛି। ବୁଧବାର ପୁଲିସ୍‌ ଗୁରୁତର ଅବସ୍ଥାରେ ଉକ୍ତ ୫ ଜଣଙ୍କୁ ଉଦ୍ଧାର କରି ଚିକିିତ୍ସା ପାଇଁ ହସ୍ପିଟାଲ୍‌ ପଠାଇଛି। ସେମାନେ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ବୋଲି ସୂଚନା ରହିଛି।

ସୂଚନା ମୁତାବକ, ମଧ୍ୟ ରାତ୍ରରେ ୨ ଶିଶୁଙ୍କ ସମେତ ପରିବାରର ୫ ଜଣ ସଦସ୍ୟ ମୃଦୁ ପାନୀୟରେ ଫିନାଇଲ୍‌ ମିଶାଇ ପିଇଥିବା ସୂଚନା ରହିଛି। ସାକଳୁ ପଡ଼ୋଶୀମାନେ କୌଣସି କାମରେ କଲିଂ ବେଲ୍‌ ମାରିଥିଲେ ବି କେହି ବି କବାଟ ଖୋଲି ନଥିଲେ। ସେମାନେ ବାଧ୍ୟ ହୋଇ ପୁଲିସ୍‌କୁ ଖବର ଦେଲେ। ପୁଲିସ୍‌ ଆସିଲା ବେଳକୁ ୫ ଜଣ ଯାକ ଚଟାଣରେ ପଡ଼ି ରହିଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି।

ପୁଲିସ୍‌ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ପାଇନାହିଁ। ସେମାନେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ଏଯାବତ୍‌ ଅସ୍ପଷ୍ଟ। ପଡ଼ୋଶୀଙ୍କ କହିବା ଅନୁସାରେ ସେମାନେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ।

ସମ୍ବନ୍ଧିତ ଖବର