ସାହିବାବାଦ ଥାନାରୁ ଚୋରି ହେବାର ଦେଢ଼ ଦିନ ପରେ ଜାଣିଲେ ପୁଲିସ

ଗାଜିଆବାଦ: ଦଳେ ଚୋର ସାହିବାବାଦ ଥାନା ପରିସରରେ ପଶି ମାଲଖାନାରୁ ଗୁଡ଼ାଏ ଜିନିଷ ନେଇ ଚାଲି ଯାଇଥିଲେ ବି ଦେଢ଼ ଦିନ ଯାଏଁ ପୁଲିସ କର୍ମଚାରୀମାନେ ତାହା ଜାଣିପାରି ନ ଥିଲେ।

ଏହି ମାମଲାରେ ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁସାରେ, ଚୋରମାନେ ମେ ୧୮ ଓ ୧୯ ତାରିଖ ରାତିରେ ଥାନା ପରିସରରେ ପ୍ରବେଶ କରିଥିଲେ।

୯୦ଟି ବଡ଼ ଓ ଛୋଟ ବ୍ୟାଟେରି, ଦୁଇଟି ଗ୍ୟାସ୍‌ ସିଲିଣ୍ଡର୍‌, ଜବତ ହୋଇଥିବା ମୋବାଇଲ୍‌ ଫୋନ୍‌, ୪ଟି ଉଚ୍ଚକ୍ଷମତାସମ୍ପନ୍ନ ସିସିଟିଭି, ଗୋଟାଏ ‘ଜୁଗାଡ଼’ ଗାଡ଼ି (ପୁରୁଣା ବାଇକ୍‌ରେ ଲାଗିଥିବା ଟ୍ରଲିଗାଡ଼ି) ଏବଂ ପରିସର ମଧ୍ୟରେ ରଖାଯାଇଥିବା ହ୍ୟୁଣ୍ଡାଇ ଆସେଣ୍ଟ୍‌ ଏବଂ ହୋଣ୍ଡା ସିଟି କାର୍‌ରୁ କେତେକ ଉପକରଣ ଖୋଲି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।

ମାଲ୍‌ଖାନାର ତାଲା ଭଙ୍ଗାଯାଇଥିବା କଥା ମେ ୨୦ ତାରିଖ ଦିନ ଜାଣିବା ପରେ ଷ୍ଟୋର୍‌ ଇନ୍‌-ଚାର୍ଜ ଥାନା ପରିସରସ୍ଥ ମନ୍ଦିରେ ପ୍ରାର୍ଥନାରତ ଜଣେ କନେଷ୍ଟବଳ ଓ ଜଣେ ସ୍ଥାନୀୟ ମାଳୀକୁ ଏ କଥା କହିଥିଲେ।

ସେ ଅଭିଯୋଗରେ ଲେଖିଛନ୍ତି: ଆମେ କବାଟ ଖୋଲିବା ପରେ ଦେଖିଲୁ କେତେକ ଜିନିଷ ନାହିଁ। ରେଜିଷ୍ଟର୍‌ ସହ ମିଳା ଯିବା ପରେ ଚୋରି ଜିନିଷର ପୂର୍ଣ୍ଣାଙ୍ଗ ତାଲିକା ଦେଇ ହେବ।

ବରିଷ୍ଠ ପୁଲିସ ଅଧିକାରୀମାନେ କହିଛନ୍ତି କି, ଚୋରି ଅଭିଯୋଗ ସେମାନେ ପାଇଛନ୍ତି ଏବଂ ଏଥିରେ ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ଚୋରି ହୋଇଥିବା କିଛି ଜିନିଷ ଉଦ୍ଧାର କରାଯାଇଛି। ବୋଧହୁଏ ଏଥିରେ ଗୁଡ଼ାଏ ଲୋକ ସମ୍ପୃକ୍ତ ଅଛନ୍ତି; ତଦନ୍ତ କରାଯିବ। ଥାନାର ମୁଖ୍ୟ ପ୍ରବେଶ ପଥରେ ଖୋଳାଖୋଳି କାମ ଚାଲିଥିବାରୁ ସେମାନେ ପାର୍ଶ୍ୱ ବାଟେ ପ୍ରବେଶ କରିଥିବା ଜଣାପଡୁଛି। ପୁଲିସ କର୍ମଚାରୀମାନେ ନିର୍ବାଚନ କାମରେ ଯାଇଥିବା ସମୟରେ ଏ ପରି ହୋଇଛି।

ସମ୍ବନ୍ଧିତ ଖବର