୨ କିଲୋ ଚାଉଳର ପ୍ରଲୋଭନ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ସିଲିଗୁଡ଼ି: କରୋନା ଭାଇରସ୍ ପାଇଁ ଜାରି ହୋଇଥିବା ଲକ୍ଡାଉନ୍ ହେତୁ ସାଧାରଣ ବର୍ଗର ଲୋକେ ଖାଦ୍ୟ ସମସ୍ୟା ଦେଇ ଗତି କରୁଥିବା ବେଳେ ତାହାର ସୁଯୋଗ ଉଠାଉଛନ୍ତି କିଛି ଅମାନୁଷିକ ବ୍ୟକ୍ତି। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ୨ କିଲୋ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ଜଣେ କଣ୍ଟ୍ରାକ୍ଟର ବୋଲି ଜାଣିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଏନ୍ଜିପି ଥାନା ଅଧୀନରେ ରହୁଥିବା ଜଣେ ମହିଳାଙ୍କ ପଡ଼ୋଶୀ ମୁଜବୀର ରହମାନ ୨ କିଲୋ ଚାଉଳ ଦେବାକୁ କହି ମହିଳାଙ୍କୁ ଡାକିଲେ। ମହିଳା ଜଣକ ଘରକୁ ଆସିବାରୁ ମୁଜବୀର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମାତ୍ର ମହିଳା ଜଣକ ଯାହା ଯେମିତି ହେଉ ସେଠାରୁ ଖସି ପଳାଇ ଆସିଥିବା ଜାଣିବାକୁ ମିଳିଛି।
ମହିଳା ଜଣକ ସେଠାରୁ ଫେରି ନିଜ ସ୍ବାମୀଙ୍କ ଆଗରେ ପୂରା ଘଟଣା ବର୍ଣ୍ଣନା କରିବାରୁ କଥା ଲୋକଲୋଚନକୁ ଆସିଛି। ପୀଡ଼ିତା ମହିଳାଙ୍କ କହିବାନୁସାରେ କେବଳ ସେତିକି ନୁହେଁ, ମୁଜବୀର ତାଙ୍କର ଏକ ଅଶାଳୀନ ଭିଡିଓ ବି ରଖିଛି। ଯଦି ସେ ତାଙ୍କ ସଂପର୍କରେ ବାହାରେ କାହା ଆଗରେ କୁହନ୍ତି ତେବେ ସେ ସେହି ଭିଡିଓକୁ ସୋସିଆଲ୍ ମିଡିଆରେ ଅପ୍ଲୋଡ କରି ଦେବାର ଧମକ ଦେଇଛି।