ରାଜଧାନୀ ଅସୁରକ୍ଷିତ, ସନ୍ଧ୍ୟାବେଳେ ଘରେ ପଶିଗଲେ ଲୁଟେରା

ବାଙ୍କୁଆଳରେ ଜଣକୁ ମାଡ଼ି ବସିଲେ ଗ୍ରାମବାସୀ

ଭୁବନେଶ୍ବର: ରାଜଧାନୀର ଏ ମୁଣ୍ଡରୁ ସେ ମୁଣ୍ଡ ସବୁଆଡ଼େ ମାତିଛନ୍ତି ମାଳମାଳ ଲୁଟେରା। ବେଲଗାମଭାବେ ମନ ଇଛା ଲୁଟ୍‌ପାଟ୍‌ ଜାରି ରଖିଛନ୍ତି। କେତେବେଳେ ରାସ୍ତାରେ ଛିନ୍‌ତାଇ କରୁଛନ୍ତି ତ କେତେବେଳେ ଘରେ ପଶି କଳାକନା ବୁଲାଇ ଦେଉଛନ୍ତି। ଚେନ୍ ଝାମ୍ପି ନେଉଥିବାବେଳେ ମହିଳାଙ୍କୁ ହାଣି ଦେବାକୁ ପଛାଉ ନାହାନ୍ତି। ସକାଳ ସନ୍ଧ୍ୟା କିଛି ମାନୁନାହାନ୍ତି। ଚଳିତ ସପ୍ତାହରେ ପ୍ରାୟ ୫ଟି ବଡ଼ବଡ଼ କାଣ୍ଡ ଭିଆଇ ରାଜଧାନୀବାସୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରି ସାରିଲେଣି। କମିସନରେଟ୍ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟେରା ଦଳ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇ ଚାଲିଛନ୍ତି। ସୋମବାର ସହିଦନଗର ଥାନା ବାଙ୍କୁଆଳରେ ଘଟିଛି ଏଭଳି ଏକ କାଣ୍ଡ। ସନ୍ଧ୍ୟା ୭ଟାବେଳେ ଗାଁ ଭିତରେ ଜଣଙ୍କ ଘରେ ପଶି ଦୁର୍ବୃତ୍ତମାନେ ପ୍ରାୟ ୪ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି। ତେବେ ଗ୍ରାମବାସୀମାନେ ଜଣେ ଦୁର୍ବୃତ୍ତକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ବାଇକ୍ ସହ ଧରାପଡ଼ିଥିବା ଦୁର୍ବୃତ୍ତକୁ ବହେ ଛେଚିବା ପରେ ପୁଲିସ ଜିମା ଦିଆଯାଇଛି। କିନ୍ତୁ ସୁନାଗହଣା ନେଇ ଅନ୍ୟ ୨ ଜଣ ଦୁର୍ବୃତ୍ତ ଫେରାର୍ ହୋଇଯିବାରେ ସକ୍ଷମ ହୋଇଛି। ଏଭିତରେ ୨୪ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ବି ସହିଦନଗର ଥାନା ପୁଲିସ ଅନ୍ୟ ୨ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାନୁସାରେ ବାଙ୍କୁଆଳ ଗାଁର ଆର୍‌କେ ମହାକୁଡ଼ଙ୍କ ସ୍ତ୍ରୀ ଓ ୨ ପୁଅ ଗତକାଲି କୌଣସି କାମରେ ଘରେ ତାଲା ପକାଇ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟାବେଳକୁ ଫେରିଥିଲେ। ସେମାନେ ଘର ନିକଟରେ ପହଞ୍ଚିବାବେଳେ ଦେଖିଲେ, ଜଣେ ଯୁବକ ତାଙ୍କ ଦାଣ୍ଡରେ ଠିଆ ହୋଇଛି। ଶ୍ରୀମତୀ ମହାକୁଡ଼ଙ୍କୁ ଦେଖି ସେ କିଛି ଦୂରରେ ଥିବା ଏକ ବାଇକ୍(ଓଡି୦୨ଏୱାଇ-୫୦୬୦) ପାଖକୁ ଚାଲି ଯାଇଥିଲା। ସନ୍ଦେହ କରି ଶ୍ରୀମତୀ ମହାକୁଡ଼ ଘର ଭିତରକୁ ପଶିବାବେଳେ ହଠାତ୍ ଜଣେ ଦୁର୍ବୃତ୍ତ ତାଙ୍କ ମୁହଁକୁ ଚାପି ଧରିଥିଲା। କିନ୍ତୁ ବୁଦ୍ଧି ଖଟାଇ ତାଙ୍କ ଦୁଇ ପୁଅ ଦାଣ୍ଡକୁ ଧାଇଁ ଆସି ଚୋର ଚୋର ବୋଲି ପାଟି କରି ଗାଁ ଲୋକଙ୍କୁ ଡାକ ପକାଇଥିଲେ। ପାଟି ଶୁଣି ପାଖ ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେତେବେଳକୁ ଘର ଭିତରେ ଥିବା ଦୁଇ ଦୁର୍ବୃତ୍ତ ବାହାରକୁ ଧାଇଁ ଆସିଥିଲେ ଓ ବାଇକ୍‌ରେ ବସିବାକୁ ଯାଉଥିଲେ। ଗ୍ରାମବାସୀମାନେ ସେମାନଙ୍କୁ ଘେରିଯିବା ଦେଖି ସେମାନେ ବାଇକ୍ ଛାଡ଼ି ଅନ୍ଧାରରେ ବିଲ ଭିତରେ ଦୌଡ଼ିବାକୁ ଲାଗିଲେ। ମାତ୍ର ଜଣଙ୍କୁ ଗ୍ରାମବାସୀମାନେ ଗୋଡ଼ାଇ ଗୋଡ଼ାଇ ଧରି ପକାଇଥିଲେ। ଅନ୍ୟ ଦୁଇ ଜଣ ଖସିଯାଇଥିଲେ। ଶ୍ରୀମତୀ ମହାକୁଡ଼ଙ୍କ କହିବା କଥା ଦୁର୍ବୃତ୍ତମାନେ ତାଙ୍କ ଆଲ୍‌ମିରା ଭାଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ କରି ନେଇଛନ୍ତି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ସନ୍ଧ୍ୟାଟାରେ ଯଦି ଏଭଳି ଘଟିବ, ତେବେ ରାଜଧାନୀରେ ଆଉ ନିରପଦରେ ରହିବା ସମ୍ଭବ ନୁହେଁ ବୋଲି ଆଲୋଚନା ଚାଲିଛି।

ସମ୍ବନ୍ଧିତ ଖବର