କାର୍‌ ସହ ୨୪ ଗ୍ରାମ୍‌ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ଆଜି ଅପରାହ୍ନରେ ମଞ୍ଚେଶ୍ବର ଥାନା ପୁଲିସ ଓ କ୍ୟୁଏଟି ହାତରେ ଜଣେ ନିଶା ବେପାରୀ ଧରାପଡ଼ିଛି। ସତ୍ୟବିହାର ବେଲବଣିଆ ମଠ ନିକଟରେ ଚଢ଼ଉ କରି ପୁଲିସ ଏକ କାର୍‌ ସହ ୨୪ ଗ୍ରାମ୍‌ ବ୍ରାଉନ ସୁଗାର ଜବତ କରିଛି। ଏଥି‌ରେ ସମ୍ପୃକ୍ତ ଜଗତସିଂହପୁରର ପ୍ରଭାତ ରଞ୍ଜନ ମହାପାତ୍ରକୁ ପୁଲିସ ଗିରଫ କରିଛି। ତା’ ଠାରୁ ଦୁଇଟି ମୋବାଇଲ ଫୋନ୍‌ ସହ ୧୨ ହଜାର ୭୦ ଟଙ୍କା ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି। ବ୍ରାଉନ୍‌ ସୁଗାରର ପୂରା କାରବାରର ସମ୍ପର୍କରେ ଖୋଳତାଡ଼ ପାଇଁ ପୁଲିସ ତାକୁ ରିମାଣ୍ଡରେ ନେବାପାଇଁ ଯୋଜନା କରୁଛି। ପ୍ରଭାତ ମଞ୍ଚେଶ୍ବରରେ ରହିବା ସହ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିଲା। ପୂର୍ବରୁ ଡକାୟତି ପାଇଁ ଯୋଜନା କଲା ବେଳେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲ୍‌ରୁ ଜାମିନ୍‌ରେ ମୁକୁଳି ସେ ପୁଣି ଅପରାଧରେ ଲିପ୍ତ ହୋଇ ଯାଇଥିଲା। ତେବେ ନିଶା ବେପାରୀଙ୍କୁ ତଡ଼ିପାର କରିବା ପାଇଁ ତତ୍‌କାଳୀନ ପୁଲିସ କମିସନର ତନାଘନା କରିବା ପରେ ସେ ଜଗତସିଂହପୁର ଫେରିଯାଇ ସେଠାରୁ ବେଆଇନ ନିଶା ବେପାରକୁ ପରିଚାଳନା କରୁଥିଲା। କାର୍‌ରେ ଆସି ଏଠାରେ ଖୁଚୁରା ବେପାରୀଙ୍କୁ ମାଲ୍‌ ଦେଇ ଚାଲି ଯାଉଥିଲା। ଏହା ଜଣାପଡ଼ିବା ପରେ କ୍ୟୁଏଟି ଓ ମଞ୍ଚେଶ୍ବର ଥାନା ପୁଲିସ ତା’ ଉପରେ ନଜର ରଖିଥିଲା।

ସମ୍ବନ୍ଧିତ ଖବର