୨ ଗ୍ୟାଙ୍ଗ ଠାବ, ୧୬ ଡକାୟତ ଗିରଫ

୭ ବାଇକ୍‌, ମୋବାଇଲ୍‌, ୪ ବନ୍ଧୁକ ସମେତ ମାରଣାସ୍ତ୍ର ଜବତ

ଭୁବନେଶ୍ୱର: କମିସନରେଟ୍‌ ପୁଲିସକୁ ଆଜି ମିଳିଛି ଏକ ବଡ଼ ସଫଳତା। ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ଦୁଇ ଦୁଇଟି ବଡ଼ ଡକାୟତି ଗ୍ୟାଙ୍ଗକୁ ସ୍ପେସାଲ ସ୍କ୍ଵାଡ, ମଞ୍ଚେଶ୍ୱର ଥାନା, ଇନ୍‌ଫୋସିଟି ଥାନା ଓ ନୂଆପଲ୍ଲୀ ଥାନା ପୁଲିସ ମିଳିତ ଚଢ଼ଉ କରି ଠାବ କରିଛି। ୨ଟି ଗ୍ୟାଙ୍ଗର ୧୬ଜଣ କୁଖ୍ୟାତ ଡକାୟତକୁ ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ୪ଟି ବନ୍ଧୁକ, ୯ଟି ଗୁଳି, ୭ଟି ବାଇକ୍‌, ୨୦ ମୋବାଇଲ୍‌ ଫୋନ ଓ ବହୁ ମାରଣାସ୍ତ୍ର ଜବତ କରିଛି। ମଞ୍ଚେଶ୍ୱର ଥାନା ମାମଲାରେ ଗିରଫ ହୋଇଥିବା ଡକାୟତମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ବିକାଶ ରଞ୍ଜନ ଜେନା ଓରଫ ରାନା(୨୪), ସଂଗ୍ରାମ ମହାପାତ୍ର ଓରଫ ରକି(୨୮), ପୂର୍ଣ୍ଣଚନ୍ଦ୍ର ନାୟକ ଓରଫ ବାବୁ(୨୪), ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ସୁଶାନ୍ତ ନାୟକ ଓରଫ ପପି(୨୫), ମଞ୍ଚେଶ୍ୱର ଥାନା ଟାଙ୍ଗୀବନ୍ଧ ଅଞ୍ଚଳର ରଞ୍ଜନ ଭୋଇ ଓରଫ ରାନୁ(୫୬), ଇନ୍‌ଫୋସିଟି ଥାନା ଶିଖରଚଣ୍ଡୀ ଅଞ୍ଚଳର ସୁଶାନ୍ତ ରାଉତ ଓରଫ ଟେରୁ(୩୦), ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ଯୁଗଳ ପ୍ରଧାନ ଓରଫ ଭିପି(୨୩), ପୁରୀ ଜିଲ୍ଲା କଣାସ ଅଞ୍ଚଳର ନାରାୟଣ ରାଉତ ଓରଫ ପିଣ୍ଟୁ(୨୩) ଏବଂ ନନ୍ଦନକାନନ ଥାନା ବାଲିପଡ଼ା ଅଞ୍ଚଳର ସଂଗ୍ରାମ ରାଉତ ଓରଫ କଟାସ(୨୫)। ତେବେ ୧୬ଜଣିଆ ଏହି ଗ୍ୟାଙ୍ଗର ୧୪ ଜଣକୁ ପୁଲିସ ଗିରଫ କରିଥିବା ବେଳେ ୨ଜଣ ଫେରାର ଅଛନ୍ତି। ସେହିପରି ନୂଆପଲ୍ଲୀ ଡକାୟତି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସାଲିଆସାହି ଶ୍ରୀରାମନଗର ଅଞ୍ଚଳର କାଶୀନାଥ ପାତ୍ର, ବସ୍ତିବିକାଶ ପରିଷଦ ଅଞ୍ଚଳର ଗଙ୍ଗା ରେଡ୍ଡୀ, ଏକାମ୍ରବିହାର ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ, ନୀଳକଣ୍ଠନଗର ଅଞ୍ଚଳର ସଞ୍ଜୟ କୁମାର ଦାସ, ସ୍ୱାଧୀନନଗର ଅଞ୍ଚଳର ବିଶ୍ୱଜିତ ଦାସ, ଶକ୍ତିବିହାର ଅଞ୍ଚଳର ସୁମନ୍ତ ଦିଗଲ ଓ ସନ୍ତୋଷୀନଗର ଅଞ୍ଚଳର କାଶୀନାଥ ରେଡ୍ଡି।

ପୁଲିସ ସୂଚନା ମୁତାବକ, ପଟିଆ ମ୍ୟାଗନେଟ୍‌ ଛକରେ ଥିବା ଏକ ଜୁଏଲାରିରୁ ଡକାୟତି ପାଇଁ ଟେରୁ ଯୋଜନା କରିଥିଲା। ଏଥିପାଇଁ ଜୁଏଲାରି ମାଲିକ ଦେବବ୍ରତ ପଟ୍ଟନାୟକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଗ୍ୟାଙ୍ଗର ଅନ୍ୟ ସହଯୋଗୀଙ୍କୁ ନିର୍ଦେଶ ଦେଇଥିଲା। ତେବେ ଗତ ଜାନୁଆରି ୯ ତାରିଖରେ ଦେବବ୍ରତ ପଟ୍ଟନାୟକ ଓ ତାଙ୍କ ପୁଅ ଜୁଏଲାରିରୁ କାମସାରି ମଞ୍ଚେଶ୍ୱର ଥାନା ଅଧୀନ ଇଞ୍ଜଣା ସ୍ଥିତ ଘରକୁ ଫେରୁଥିଲେ। ଠିକ୍‌ ଘରଠାରୁ କିଛିବାଟ ଦୂରରେ ଥିବା ଏକ ଅନ୍ଧାରିଆ ରାସ୍ତାରେ ମାରଣାସ୍ତ୍ର ଓ ବନ୍ଧୁକ ଧରି ଜଗି ବସିଥିବା ଟେରୁ ଓ ତାର ସହଯୋଗୀ ଦେବବ୍ରତଙ୍କୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ଗାଡ଼ିରେ ଥିବା ଲକ୍ଷାଧିକ ଟଙ୍କାର ଗହଣା ଓ ନଗଦ ଦେଢ଼ ଲକ୍ଷ ଟଙ୍କା ନେଇଯାଇଥିଲେ। ଏନେଇ ଦେବବ୍ରତ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ସୋମବାର ବିଳମ୍ବିତ ରାତିରେ ଟେରୁ ଓ ତାର ସହଯୋଗୀ ମଞ୍ଚେଶ୍ୱର ଅଞ୍ଚଳରେ ଆଉ ଏକ ଡକାୟତି ପାଇଁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ସ୍ପେସାଲ୍‌ସ୍କ୍ଵାଡ୍‌, ମଞ୍ଚେଶ୍ୱର ଓ ଇନଫୋସିଟି ଥାନା ପୁଲିସର ତିନୋଟି ଟିମ୍‌ ମିଳିତ ଭାବେ ଚଢ଼ଉ କରି ଟେରୁ ଓ ତାର ସହଯୋଗୀଙ୍କୁ ଗରିଫ କରିଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ ଓ ଡକାୟତି କରିଥିବା ମାନିଥିଲେ। ଏହାପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ଟି ବାଇକ୍‌ ଜବତ କରିଥିଲା। ସେହିପରି ସୋମବାର ବିଳମ୍ବିତ ରାତିରେ କାଶୀନାଥ ପାତ୍ର ଓ ତାର ସହଯୋଗୀମାନେ ସାଲିଆସାହି ହାତିଆସୁଣୀ ନିକଟରେ ଏକ ଡକାୟତି ପାଇଁ ଯୋଜନା କରୁଥିବା ନୂଆପଲ୍ଲୀ ଥାନା ପୁଲିସ ଖବର ପାଇଥିଲା। ପୁଲିସର ଏକ ଟିମ ସେଠାରେ ଚଢ଼ଉ କରି କାଶୀନାଥ ସମେତ ୭ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର