ଚୋରକୁ ଛେଚି ପୁଲିସରେ ଦେଲେ

ବାଇକ୍‌ ଓ ମୋବାଇଲ୍‌ ଜବତ, ସହଯୋଗୀ ଫେରାର

ଭୁବନେଶ୍ୱର: ରବିବାର ସନ୍ଧ୍ୟାରେ ନୂଆପଲ୍ଲୀ ଏନ୍‌-୬ ସ୍ଥିତ ସାଇ ମନ୍ଦିର ନକିଟରେ ଉତ୍ତେଜନା ଦେଖାଦେଇଥିଲା। ଜଣେ ଯୁବତୀଙ୍କୁ ଆକ୍ରମଣ କରି ମୋବାଇଲ୍‌ ଛଡ଼ାଇ ଫେରାର୍‌ ଉଦ୍ୟମ ବେଳେ ଏଭଳି ଘଟଣା ଘଟିଥିଲା। ସ୍ଥାନୀୟ ଲୋକ ଏକ ହୋଇ ଲୁଟେରା ଶଙ୍କର ରେଡ୍ଡୀ(୧୯)ଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଶଙ୍କରକୁ ଗିରଫ କରିଥିବା ସହ ମୋବାଇଲ୍‌ ଜବତ କରିଥିଲା। ଶଙ୍କରର ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି। ଏଠାରେ ସେ ସାଲିଆସାହି ନୀଳଚକ୍ରନଗରରେ ରୁହେ।

ସୂଚନା ମୁତାବକ, ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ବର୍ଷାରାଣୀ ମିଶ୍ର ନାମକ ଜଣେ ଯୁବତୀ ମନ୍ଦିରରୁ ପୂଜାସାରି ଆଇଆର୍‌ସି ଭିଲେଜ୍‌ ସ୍ଥିତ ଘରକୁ ଫେରୁ ଥିଲେ। ଏହି ସମୟରେ ଶଙ୍କର ଓ ତାର ସହଯୋଗୀ ଏକ ବାଇକ୍‌ରେ ଆସି ହଠାତ୍‌ ଯୁବତୀଙ୍କୁ ଆକ୍ରମଣ କରିଥିଲେ। ଯୁବତୀ ଜଣଙ୍କ କିଛି ବୁଝିବା ପୂର୍ବରୁ ଶଙ୍କର ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲା। ଜୀବନ ବିକଳରେ ଯୁବତୀ ଜଣଙ୍କ ଚିତ୍କାର କରିଥିଲେ। ଲୁଟ୍‌ ପରେ ଉଭୟ ଘଟଣାସ୍ଥଳରୁ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ହେଲେ ଯୁବତୀଙ୍କ ପାଟି ଶୁଣି ସ୍ଥାନୀୟଲୋକମାନେ ବାଇକ୍‌ ସହ ଶଙ୍କରକୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ହେଲେ ଶଙ୍କର ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶଙ୍କରକୁ ଗିରଫ କରିବା ସହ ବାଇକ୍‌ ଓ ମୋବାଇଲ ଜବତ କରିଥିଲା। ଥାନାକୁ ନେଇ ପଚରାଉଚରା ପରେ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର