ବ୍ରାଉନ୍‌ ସୁଗାର ରୢାକେଟ୍‌ ଠାବ, ୪ ଗିରଫ

ବନ୍ଧୁକ, ସଫାରି, ୩୦ଗ୍ରାମ ବ୍ରାଉନ୍‌ ସୁଗାର, ୧୩ହଜାର ଟଙ୍କା ଓ ୭ ମୋବାଇଲ୍‌ ଜବତ

ଭୁବନେଶ୍ବର: କୁଇକ ଆକ୍ସନ ଟିମ୍ ଓ ସହିଦନଗର ଥାନା ପୁଲିସ ମିଳିତ ଭାବେ ସୋମବାର ବିଳମ୍ବିତ ରାତିରେ ଜୟଦେବବିହାରସ୍ଥିତ ବନା ଢାବା ନିକଟରେ ଚଢ଼ଉ କରି ବ୍ରାଉନ୍‌ ସୁଗାର କାରବାର କରୁଥିବା ଏକ ରୢାକେଟ୍‌କୁ ଠାବ କରିଛନ୍ତି। ସେମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବସ୍ତା ଥାନା ଅଞ୍ଚଳର ରାଜେଶ ବରାଳ(୩୩), କୁମାରବସ୍ତା ଅଞ୍ଚଳର ଅମରେନ୍ଦ୍ର ବରାଳ(୩୭), ସଦର ଥାନା ଦଳାଇପୁଟ ଅଞ୍ଚଳର ଜିତେନ୍ଦ୍ର ମାନସିଂହ(୨୭) ଏବଂ ସଗୁନା ବଗିଚା ଅଞ୍ଚଳର ସୋମନାଥ ଭୁଜବଳ(୩୩)। ପୁଲିସ ସେମାନଙ୍କଠାରୁ ୩୦ଗ୍ରାମ ବ୍ରାଉନ୍‌ ସୁଗାର, ଗୋଟିଏ ଟାଟା ସଫାରି, ଦେଶୀ ବନ୍ଧୁକ, ୨ଟି ଅଫୁଟା ଗୁଳି, ୧୩ ହଜାର ଟଙ୍କା ଏବଂ ୭ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ଜବତ ହୋଇଥିବା ବ୍ରାଉନ୍‌ ସୁଗାରର ମୂଲ୍ୟ ସାଢ଼େ ୩ଲକ୍ଷ ଟଙ୍କା ହେବ ବ‌ୋଲି ପୁଲିସ ଅନୁମାନ କରିଛି। ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଦୀର୍ଘଦିନ ହେବ ମୁଖ୍ୟ ଅଭିଯୁକ୍ତ ସୋମନାଥ ଓ ତାର ସହଯୋଗୀ ରାଜଧାନୀ ସମେତ ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନ୍‌ ସୁଗାର କାରବାର କରୁଥିଲେ। ବିଶେଷ କରି ବାଲେଶ୍ବରର ଜଳେଶ୍ବର ଅଞ୍ଚଳରୁ ବ୍ରାଉନ୍‌ସୁଗାର ଆଣି ରାଜଧାନୀର ବିଭିନ୍ନ ବସ୍ତିରେ ଥିବା ଦଲାଲଙ୍କ ନିକଟରେ ପହଞ୍ଚାଉ ଥିଲା। ବସ୍ତିରେ ଥିବା ଦଲାଲମାନେ ସୋମନାଥଠାରୁ ବ୍ରାଉନ୍‌ସୁଗାର ନେଇ ଗ୍ରାହକଙ୍କ ନିକଟରେ ପହଞ୍ଚାଉ ଥିଲେ। ବ୍ୟବସାୟରୁ ସୋମନାଥ ମାସକୁ ପାଖାପାଖି ୨-୩ ଲକ୍ଷ ଟଙ୍କା ରୋଜଗାର କରୁଥିଲା।

ସୋମବାର ବିଳମ୍ବିତ ରାତିରେ ସୋମନାଥ, ଅମରେନ୍ଦ୍ର, ଜିତେନ୍ଦ୍ର ଓ ରାଜେଶ ରାଜଧାନୀର କେତେକ ଦଲାଲଙ୍କୁ ବ୍ରାଉନ୍‌ ସୁଗାର ଦେବା ପାଇଁ ରାଜଧାନୀ ଆସିଥିଲେ। ସମସ୍ତେ ଏକ ଟାଟା ସଫାରିରେ ଜୟଦେବ ବିହାର ଛକ ବନା ଢାବା ନିକଟରେ ଅପେକ୍ଷା କରିଥି‌ଲେ। ଖବରପାଇ ଉଭୟ କ୍ୟୁଏଟି ଓ ସହିଦନଗର ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିବାକୁ ଯୋଜନା କରିଥିଲେ। ଗୋଟିଏ ପୁଲିସ ଭ୍ୟାନ୍‌ ସଫାରିଠାରୁ କିଛି ଦୂରରେ ରହିଥିଲା। ଆଉ ଏକ ଭ୍ୟାନ୍‌ ସଫାରି ନିକଟକୁ ଯାଇ ଅଟକି ଯାଇଥିଲା। ଅଭିଯୁକ୍ତମାନେ ପୁଲିସକୁ ଦେଖି ଫେରାର୍‌ ଉଦ୍ୟମ କରିଥିଲେ। ହେଲେ ଦୁଇଟି ଭ୍ୟାନ୍‌ରୁ ପୁଲିସ ଓହ୍ଲାଇ ସଫାରିକୁ ଘେରି ଯାଇଥିଲେ। ଗାଡ଼ି ଯାଞ୍ଚ କରିବାରୁ ଭିତରୁ ଗୋଟିଏ ବନ୍ଧୁକ, ୩୦ ଗ୍ରାମ୍‌ର ବ୍ରାଉନ୍‌ ସୁଗାର, ଟଙ୍କା ଆଦି ଜବତ ହୋଇଥିଲା। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲା। ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ପ୍ରକାଶ ଥାଉ କି, ପୂର୍ବରୁ ସୋମନାଥ ନାମରେ ଖୋର୍ଦ୍ଧା ଟାଉନ ଥାନା, ଖୋର୍ଦ୍ଧା ଥାନାରେ ଏକାଧିକ ଆପରାଧିକ ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କ ନାମରେ ମାମଲା ରହିଛି କି ନାହିଁ ସେ ନେଇ ତଦନ୍ତ ଚାଲୁଛି। ସେହିପରି ଗିରଫ ହୋଇଥିବା ଅଭିଯୁକ୍ତମାନେ କେବଳ ଯେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିଲେ, ତାହା ନୁହେଁ। ଖୋର୍ଦ୍ଧା ଅଞ୍ଚଳରେ ଥିବା ବିଭିନ୍ନ ପଥର ଖଣିରେ ବି ସେମାନଙ୍କ ପ୍ରଭାବ ରହିଥିଲା। ସେହିପରି କେତେକ ଖଣିମାଲିକଙ୍କଠାରୁ ଦାଦାବଟି ମଧ୍ୟ ଆଦାୟ କରୁଥିଲେ।

ସମ୍ବନ୍ଧିତ ଖବର