ଧରାପଡ଼ିଲା କୁଖ୍ୟାତ ହରିଣ

ଖଣ୍ଡଗିରି: ଦୀର୍ଘ ଦିନ ଖଣ୍ଡଗିରି ଥାନା ଅଞ୍ଚଳରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇ ଦେଇଥିବା କୁଖ୍ୟାତ୍‌ ଲୁଟେରା ହରିଣ ଓ ତାର ସହଯୋଗୀ ଅମିତ ଧରାପଡ଼ିଛନ୍ତି। ହରିଣ ଓରଫ୍‌ ପ୍ରତାପ ନାଏକ(୧୯)ର ଘର ଗଞ୍ଜାମ ଜିଲ୍ଲା ମଙ୍ଗଳପୁର ଥାନା ଗାଙ୍ଗପୁର ଓ ସେ ବରମୁଣ୍ଡା ତପୋବନ ବସ୍ତିରେ ରହୁଛି। ତା’ର ସହଯୋଗୀ ଅମିତ ଗୌଡ଼(୨୨)ର ଘର ଗଞ୍ଜାମ ଜିଲ୍ଲା ବାଲିପଦର ଥାନା ଡେଙ୍ଗପଦରରେ ଓ ସେ ଡେଲ୍‌ଟା ଛକ ରଙ୍ଗିଣୀ ବସ୍ତିରେ ରହୁଛି। ଗୁରୁବାର ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ନୂଆ ନୂଆ ଅପରାଧ ଦୁନିଅାଁରେ ପାଦ ରଖିଥିଲେ ବି ଏହି ଦୁଇ ଜଣ ବର୍ଷକ ଭିତରେ ୩ଟି ଘଟଣା ଘଟାଇ ସାରିଥିବା ପୁଲିସ ସୂଚନା ଦେଇଛି। ଗତ ୧ ତାରିଖ ସନ୍ଧ୍ୟାରେ ହରିଣ ଓ ଅମିତ୍‌ ଶିରିପୁର ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଚେନ୍‌ ଲୁଟି ନେଇଥିଲେ।

ସୂଚନାନୁସାରେ ବୁଧବାର ରାତି ସାଢ଼େ ୧୦ଟାବେଳେ ବରମୁଣ୍ଡାରେ ରହୁଥିବା ମାହାଙ୍ଗା ଅଞ୍ଚଳର ଜଣେ ନାବାଳକ(୧୭) କାଳୀମନ୍ଦିର ପଛ ପଡ଼ିଆ ଦେଇ ତାଙ୍କ ଭଡ଼ା ଘରକୁ ଯାଉଥିଲେ। ପଡ଼ିଆ ଭିତରେ ତାଙ୍କୁ ଏକ ଦେଖି ସେଠାରେ ବସି ଖଟି କରୁଥିବା ହରିଣ ଓ ଅମିତ ଅଟକାଇ ଦେଇଥିଲେ। ଛୁରି ଦେଖାଇ ତାଙ୍କଠାରୁ ଏକ ନୂଆ ସ୍ମାର୍ଟ ଫୋନ୍‌ ଓ ୨ ଶହ ଟଙ୍କା ଛଡ଼ାଇ ନେଇଥିଲେ। ପାଟି କଲେ ମାରିଦେବେ ବୋଲି ଧମକ ଦେଇ ସେଠାରୁ ଖସି ପଳାଉଥିଲେ। କିନ୍ତୁ ନାବାଳକ ଜଣଙ୍କ ଚୋର ଚୋର ବୋଲି ପାଟି କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଧାଇଁ ଆସି ଦୁଇ ଦୁର୍ବୃତ୍ତଙ୍କୁ କାବୁ କରି ନେଇଥିଲେ। ଅଭିଯୁକ୍ତ ଦ୍ୱୟ ମଧ୍ୟ ସ୍ଥାନୀୟ ଯୁବକ ବୋଲି ଲୋକଙ୍କ ସହ ମୁକାବିଲା କରିବାରୁ କଥା ହାତାହାତି ଯାଏଁ ଯାଇଥିଲା। ଫଳରେ ଲୋକେ ଉଭୟଙ୍କ ବହେ ଛେଚିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା। ଲୋକଙ୍କ ମାଡ଼ରେ ଅମିତ୍‌ ଆହତ ହୋଇଥିଲା। ପୂର୍ବରୁ ଏମାନଙ୍କୁ କ୍ୟାପିଟାଲ ଥାନା ପୁଲିସ ଓ ଜାନୁଆରି ମାସରେ ଖଣ୍ଡଗିରି ଥାନା ପୁଲିସ ଲୁଟ୍‌ପାଟ୍‌ ମାମଲାରେ ଗିରଫ କରିଥିଲା। ଗତ ୧ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସୂର୍ଯ୍ୟନଗରର ବାସିନ୍ଦା ପ୍ରଶାନ୍ତ ମହାନ୍ତି ଓ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ଇନ୍ଦିରା ପ୍ରିୟଦର୍ଶିନୀ ବାଇକ୍‌ରେ ଯାଉଥିବାବେଳେ ଏହି ଦୁର୍ବୃତ୍ତଦ୍ୱୟ ଇନ୍ଦିରାଙ୍କ ବେକରେ ଛୁରି ଲଗାଇ ଚେନ୍‌ ଟାଣି ନେଇଥିଲେ। ଫଳରେ ଇନ୍ଦିରାଙ୍କ ବେକରେ କ୍ଷତ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର