ଧରାପଡ଼ିଲେ ୨ ଦୁର୍ଦାନ୍ତ ଡକାୟତ: ରିମାଣ୍ଡରେ ନେବ ପୁରୀ ପୁଲିସ

ଖଣ୍ଡା ଓ ୪ ବୋମା ଜବତ, ହୋଟେଲରେ ଚାଲିଥିଲା ଡକାୟତି ବ୍ଲୁପ୍ରିଣ୍ଟ

ଖଣ୍ଡଗିରି: ଦୀର୍ଘ ଦିନ ଧରି ପୁରୀ ଜିଲ୍ଲା ପୁଲିସକୁ ଚକ୍‌ମା ଦେଇ ରାଜଧାନୀରେ ଡେରା ପକାଇଥିବା ଦୁଇ କୁଖ୍ୟାତ ଡକାୟତଙ୍କୁ ରବିବାର ସନ୍ଧ୍ୟାରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଓ ମେରାଇନ୍‌ ଥାନା ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ରାଧାମୋହନ ବିଶ୍ୱାଳ(୩୦) ଓ ତାରିଣୀ ପାତ୍ର(୨୮)। ରାଧାମୋହନର ଘର ଅସ୍ତରଙ୍ଗ ଥାନା ଝାଲିଙ୍ଗି ଓ ସାଲିଆସାହିରେ ରହୁଥିବା ତାରିଣୀର ଘର ଗଞ୍ଜାମ ଗୋପାଳପୁରରେ। ସେମାନଙ୍କଠାରୁ ଏକ ନମ୍ବର ବିହୀନ ଗ୍ଲାମର ବାଇକ୍‌ ସହ ଗୋଟିଏ ବଡ଼ ଖଣ୍ଡା ଓ ୪ଟି ଜୀବନ୍ତ ବୋମା ଜବତ କରାଯାଇଛି। ସେମାନଙ୍କ ନାମରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ ଅସ୍ତରଙ୍ଗ ମେରାଇନ୍‌ ଥାନାରେ ସଂଗିନ୍‌ ହତ୍ୟା ଉଦ୍ୟମ ମାମଲା ଥିବାରୁ ପୁଲିସ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ପୁଲିସ ସୂଚନାନୁସାରେ ପ୍ରାୟ ଦେଢ଼ମାସ ହେଲା ସ୍ଥାନୀୟ ଘାଟିକିଆ ଛକରେ(ସିଇଟି କଲେଜ ଛକ ନିକଟ) ଏହି ଦୁଇଜଣ ରୟାଲ୍‌ ଗାର୍ଡେନ୍‌ ନାମରେ ଏକ ହୋଟେଲ୍‌ ଭଡ଼ାରେ ନେଇ ଚଳାଇ ଆସୁଥିଲେ। କିନ୍ତୁ ସେମାନଙ୍କର ଅସଲ କାମ ଥିଲା ଡକାୟତି। ପୁରୀ ଅସ୍ତରଙ୍ଗ ଥାନା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌ ହୋଇଯିବା ପରେ ସେ ସେହି ଅଞ୍ଚଳ ଛାଡ଼ି ରାଜଧାନୀକୁ ଚାଲି ଆସିଥିଲେ। ହୋଟେଲ୍‌ ବ୍ୟବସାୟ ନାଁରେ ସ୍ଥାନୀୟ କଳିଙ୍ଗବିହାର, ଭରତପୁର ଆଦି ଅଞ୍ଚଳରେ ରହୁଥିବା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଘରକୁ ଟାର୍ଗେଟ୍‌ କରିବା ଥିଲା ସେମାନଙ୍କ ଲକ୍ଷ୍ୟ। ତେଣୁ ହୋଟେଲ୍‌ ଚଳାଇବା ବାହାନାରେ ସେମାନେ ବଡ଼ ଧରଣର ଡକାୟତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏମିତିକି ସେମାନେ ହୋଟେଲ୍‌ ଭିତରେ ଖଣ୍ଡା ଓ ବୋମା ଭଳି ଭୟଙ୍କର ମାରଣାସ୍ତ୍ର ସାଇତିବା ଆରମ୍ଭ କରି ଦେଇଥିଲେ। ତେବେ ସେମାନେ ଟାର୍ଗେଟ୍‌ରେ ପହଞ୍ଚିବା ପୂର୍ବରୁ ଖଣ୍ଡଗିରି ଥାନା ପୁଲିସ ସବୁ ବିଗାଡ଼ି ଦେଇଥିଲା। ରବିବାର ସନ୍ଧ୍ୟାରେ ହୋଟେଲ୍‌ରେ ଅତର୍କିତ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ପୁଲିସ ସୂଚନାନୁସାରେ ରାଧାମୋହନ ହେଉଛି ଜଣେ ଦୁର୍ଦାନ୍ତ ଡକାୟତ ଓ ତାରିଣୀ ତା’ର ସହଯୋଗୀ। ସାମାନ୍ୟ ପ୍ରତିରୋଧ ହେଲେ ସେ ଖଣ୍ଡା ଉଠାଏ। ତେଣୁ ତା’ ନାଁରେ ଅସ୍ତରଙ୍ଗ ଥାନାରେ ୨ଟି ହତ୍ୟା ଉଦ୍ୟମ ମାମଲା ରହିଛି। ସେହିଭଳି ଅସ୍ତରଙ୍ଗ ମେରାଇନ୍‌ ଥାନା ଓ କମିସନରେଟ୍‌ର ନୂଆପଲ୍ଲୀ ଥାନାରେ ତା ନାଁରେ ୩ଟି ଡକାୟତି ମାମଲା ରହିଛି। ଗତ ଜୁଲାଇରେ ମୋଷ୍ଟ ୱାଣ୍ଟେଡ୍‌ ରାଧାମୋହନକୁ ଧରିବା ପାଇଁ ଅସ୍ତରଙ୍ଗ ପୁଲିସ ଝାଲିଙ୍ଗିସ୍ଥିତ ତା’ ଘର ଉପରେ ଚଢ଼ଉ କଲା ବେଳେ ସେ ଖସି ପଳାଇଥିଲା ଓ ସେହି ଦିନରୁ ରାଜଧାନୀରେ ଆଡ଼ା ଜମାଇଥିଲା। ସେହିଭଳି ୨୦୧୭ ଡିସେମ୍ବରରେ ନୂଆପଲ୍ଲୀ ଥାନା ପୁଲିସ ତା’ ଘରକୁ ଘେରି ଯାଇଥିବା ବେଳେ ଅତର୍କିତ ଭାବେ ରାଧାମୋହନ ଏକାକୀ ଖଣ୍ଡା ଧରି ପୁଲିସକୁ ଗୋଡ଼ାଇଥିଲା ଓ ଭୟରେ ପୁଲିସ ଛତ୍ରଭଙ୍ଗ ଦେବା ପରେ ସେ ଭ୍ୟାନ୍‌କୁ ଭଙ୍ଗାରୁଜା କରି ଫେରାର୍‌ ହୋଇଯାଇଥିଲା। ତେଣୁ ନୂଆପଲ୍ଲୀ ଥାନା ପୁଲିସ ମଧ୍ୟ ତାକୁ ରିମାଣ୍ଡରେ ଆଣିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର