ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ୩ ଅଧିକାରୀ ସିବିଆଇ ଦ୍ୱାରା ଗିରଫ

ଲକ୍ଷେ ଟଙ୍କା ଲାଞ୍ଚ ନେବା ଘଟଣା

ଭୁବନେଶ୍ୱର: ମିଥ୍ୟା ଅଭିଯୋଗରେ ଫସାଇବାକୁ ଧମକ ଦେବା ଏବଂ ଏଥିରୁ ମୁକୁଳାଇବା ଲାଗି ଲକ୍ଷେ ଟଙ୍କା ଲାଞ୍ଚ ନେଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ୩ ଜଣ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ସେମାନେ ହେଲେ, ଜ୍ଞାନ ପ୍ରକାଶ, ସତୀଶ କୁମାର ଏବଂ ଏସ୍‌ ବାଜୋରିଆ। ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ସିବିଆଇ ସମସ୍ତଙ୍କୁ ଗିରଫ କରିବା ପରେ ସେମାନଙ୍କ ଘରେ ଚଢ଼ଉ କରିଛି। ଏହାସହ ସିବିଆଇ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ ଆରମ୍ଭ କରିଛି। ଗତ ୨୬ ତାରିଖରେ ଭୁବନେଶ୍ୱରରୁ କୋଲକତା ଗଞ୍ଜେଇ ଚାଲାଣ ବେଳେ ପଟିଆ ଅଞ୍ଚଳରୁ ଓ୍ଵାସିମ ନାମକ ଯୁବକଙ୍କୁ ଏନ୍‌ସିବିି ଅଧିକାରୀମାନେ ଗିରଫ କରିଥିଲେ। ଉକ୍ତ ମାମଲାରେ ଚନ୍ଦନ ଓଝା ନାମକ ଯୁବକଙ୍କ ସମ୍ପୃକ୍ତି ଥିବା ନେଇ ଏନ୍‌ସିବିକୁ ସୂଚନା ମିଳିବା ପରେ ତାଙ୍କୁ ପଚରାଉଚରା ପାଇଁ କାର୍ଯ୍ୟାଳୟକୁ ଡକାଯାଇଥିଲା। ପଚରାଉଚରା ପରେ ଚନ୍ଦନଙ୍କ ସମ୍ପୃକ୍ତି ନଥିବା ଜଣା ପଡ଼ିଥିଲା। କିନ୍ତୁ ଏନ୍‌ସିବିର ଦୁଇ ଅଧିକାରୀ ତାଙ୍କୁ ୩ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ନହେଲେ ଉକ୍ତ ମାମଲାରେ ତା’ ନାମ ଯୋଡ଼ି ତାକୁ କୋର୍ଟ ଚାଲାଣ କରିବେ ବୋଲି ଧମକ ଦେଇଥିଲେ। ଏନେଇ ଚନ୍ଦନ ସିବିଆଇ ଅଫିସକୁ ଯାଇ ଅଭିଯୋଗ କରିଥିଲେ। ସିବିଆଇର ଯୋଜନା ମୁତାବକ ଚନ୍ଦନ ଲକ୍ଷେ ଟଙ୍କା ଦେବାକୁ ଏନ୍‌ସିବି ଅଧିକାରୀଙ୍କୁ କହିଥିଲେ। ମାମଲା ସଂପର୍କରେ ଆଲୋଚନା କରିବାକୁ ଚନ୍ଦନ ସେମାନଙ୍କୁ ପୁଣି ଥରେ ଡାକିଥିଲେ। ସେମାନେ ତମାଣ୍ଡୋ ଥାନାରେ ପହଞ୍ଚି ଆଲୋଚନା କରିବା ବେଳେ ସିବିଆଇ ଅଧିକାରୀମାନେ ସେମାନଙ୍କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର