ଡାକଘରେ ଜମାକାରୀଙ୍କ ୩.୫ କୋଟି ଟଙ୍କା ହଡ଼ପ ମାମଲା : ୩୬ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାକଘରେ ଜମାକାରୀଙ୍କ ୩.୫ କୋଟି ଟଙ୍କା ହଡ଼ପ ମାମଲାରେ ସିବିଆଇ ଆଜି ୩୬ ଜଣ ଡାକ ଅଧିକାରୀଙ୍କ ବିରୋଧରେ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରିଛି। ସେମାନେ ହେଲେ କଳାହାଣ୍ଡି ଭବାନୀପାଟଣା ଷ୍ଟାଡିୟମ ପୋଷ୍ଟ ଅଫିସ୍‌ର ନିଲମ୍ବିତ ଅଫିସର କବିରାଜ ହରିଜନ, ଭୁବନେଶ୍ୱର ସହିଦନଗର ପୋଷ୍ଟ ଅଫିସର ପୂର୍ବତନ ପୋଷ୍ଟ ମାଷ୍ଟର କାନ୍ତମଞ୍ଜରୀ ଭଟ୍ଟ, ପୋଷ୍ଟାଲ ଆସିଷ୍ଟାଣ୍ଟ ଗୋପାଳ ମହାପାତ୍ର ପ୍ରମୁଖ। ଖୁବ୍‌ ଶୀଘ୍ର ସେମାନଙ୍କ ବିରୋଧରେ ଶୁଣାଣି ଆରମ୍ଭ ହେବ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।

ସିବିଆଇ ଦାଖଲ ହୋଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି କି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ପ୍ରାୟ ୩୬ଟି ଡାକଘରୁ ଜମାକାରୀଙ୍କ ଟଙ୍କା ହଡ଼ପ ହୋଇଛି। ଏବେ ବ୍ରହ୍ମପୁର, ସମ୍ବଲପୁର, ଖୋର୍ଧା, ବାଲେଶ୍ୱର ଓ ଅନୁଗୁଳରେ ମଧ୍ୟ ଜମାକାରୀଙ୍କ ଟଙ୍କା ହେରଫେର ହୋଇଥିବା ସିବିଆଇ ତଦନ୍ତବେଳେ ଜାଣିବାକୁ ପାଇଛି। ସିବିଆଇ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୋଷ୍ଟ ଅଫିସରେ ୬୨ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଗତବର୍ଷଠାରୁ ତଦନ୍ତ ଆରମ୍ଭ କରିଥିଲା। କଳାହାଣ୍ଡି ଜିଲ୍ଲାରେ ୩୪ଟି ପୋଷ୍ଟ ଅଫିସ ଏବଂ ୩୭୮ଟି ସବ୍‌ ପୋଷ୍ଟ ଅଫିସ ଥିବା ବେଳେ ଭବାନୀପାଟଣାରେ ଏହାର ମୁଖ୍ୟାଳୟ ରହିଛି। ତେବେ ଜିଲ୍ଲାରେ ଥିବା ସମସ୍ତ ସବ୍‌ ପୋଷ୍ଟ ଅଫିସରେ ମଧ୍ୟ ଦୁର୍ନୀତି ହୋଇଥିବା ସନ୍ଦେହ କରି ସିବିଆଇ ଖୋଳତାଡ଼ ଆରମ୍ଭ ରଖିଛି। ଏହି ଖବର ଜଣାପଡ଼ିବା ପରେ ଜମାକାରୀମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ବିମୁଦ୍ରାକରଣ ସମୟରେ କେନ୍ଦ୍ରୀୟ ବହିଃଶୁଳ୍କ ବିଭାଗର ସୁପରିେଟେଣ୍ଡେଣ୍ଟ ସୌମିତ୍ର କୁମାର ସେନ୍‌ ଓ ତାଙ୍କ ୬ ଜଣ ସହଯୋଗୀ ସହିଦନଗର ପୋଷ୍ଟ ଅଫିସରେ ବେଆଇନ ଭାବେ ୩୬ ଲକ୍ଷ ଟଙ୍କା ଜମା କରିଥିଲେ। ସେହି ସମୟରେ ଏ ନେଇ ସିବିଆଇ ପକ୍ଷରୁ ଖୋଳାତାଡ଼ ଆରମ୍ଭ କରାଯାଇ ସୌମିତ୍ର କୁମାର ସେନ୍‌, ଭୁବନେଶ୍ୱର ସହିଦନଗର ପୋଷ୍ଟ ଅଫିସର ପୂର୍ବତନ ପୋଷ୍ଟ ମାଷ୍ଟର କାନ୍ତିମଞ୍ଜରୀ ଭଟ୍ଟ ଓ ପୋଷ୍ଟାଲ ଆସିଷ୍ଟାଣ୍ଟ ଗୋପାଳ ମହାପାତ୍ରଙ୍କ ସମେତ ୯ ଜଣଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଥିଲା। ପରେ ସିବିଆଇ ପକ୍ଷରୁ ସୌମିତ୍ରଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ କରି ବେଆଇନ ସମ୍ପତ୍ତି ଠାବ କରିଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ବେଆଇନ ଭାବେ ଡାକଘର ଜମା ଖାତାରେ ଟଙ୍କା ଜମା କରିବାକୁ ସୁଯୋଗ ଦେବା ସହ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ଓ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ବେଆଇନ ଅର୍ଥ କାରବାରର ପ୍ରମାଣ ମଧ୍ୟ ସିବିଆଇ ପାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର