୫ ସେନା ଅଧିକାରୀଙ୍କ ବିରୋଧରେ ସିବିଆଇର ଏତଲା; ଅଟକ ରଖି ପଚରାଉଚରା ଜାରି

ଖାଦ୍ୟ ସାମଗ୍ରୀ ଯୋଗାଣକାରୀଠୁ ନେଇଥିଲେ ଲାଞ୍ଚ

ନୂଆଦିଲ୍ଲୀ: ଗତ ବର୍ଷ ଜଣେ ଯବାନଙ୍କ ଏକ ଭିଡ଼ିଓ ଭାଇରାଲ୍‌ ହୋଇଥିଲା, ଯେଉଁଥିରେ ସେ ଦର୍ଶାଇଥିଲେ କି ସେମାନଙ୍କୁ ନିମ୍ନମାନର ଖାଦ୍ୟ ପରିବେଷଣ କରାଯାଉଛି। ଏହି ଅଭିଯୋଗ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା।

ଏହାପରେ ସେନା ପକ୍ଷରୁ କର୍ତ୍ତବ୍ୟରତ ଯବାନଙ୍କୁ ଖାଦ୍ୟ ଯୋଗାଣ ବ୍ୟବସ୍ଥା ଉପରେ କଡା ନଜର ରଖାଯାଇଥିଲା। ବୁଧବାର ୫ ଜଣ ସେନା ଅଧିକାରୀଙ୍କୁ ସିବିଆଇ ଜଣେ ରାସନ୍‌ ସପ୍ଲାୟରଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଟକ ରଖି ପଚରାଉଚରା କରୁଛି। ଏହି ୫ ଅଧିକାରୀଙ୍କ ଭିତରେ ଦୁଇ ଜଣ କର୍ଣ୍ଣେଲ ସ୍ତରର ଶୀର୍ଷ ଅଧିକାରୀ ରହିଥିବା ସୂଚନା ମିଳିଛି।

ସେନାରେ ଖାଦ୍ୟ ଲାଗି ରାସନ ଯୋଗାଣରେ ଦୁର୍ନୀତି ଅଭିଯୋଗରେ ୫ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ କରିଛି ସିବିଆଇ। କର୍ଣ୍ଣେଲ୍‌ ରମନ୍‌ ଦହଡା, ଲେଫ୍ଟନାଣ୍ଟ କର୍ଣ୍ଣେଲ୍‌ ମହେନ୍ଦ୍ର କୁମାର, ସୁବେଦାର ଦେବେନ୍ଦର କୁମାର, ହାବିଲଦାର ଅଭୟ ସିଂ, ସୁବେଦାର ସହରୁନ୍‌ ସାହୁ ଏବଂ ସପ୍ଲାୟର କେ.କେ. ୟାଙ୍କ୍‌ଫୋ ଅପରାଧିକ ଷଡ଼ଯନ୍ତ୍ରରେ ଜଡ଼ିତ ଥିବା ଦର୍ଶାଇ ଏଫ୍‌ଆଇଆର୍‌ ହୋଇଛି।

ଆସାମ୍‌ ଓ ଅରୁଣାଚଳ ପ୍ରଦେଶରେ କାର୍ଯ୍ୟରତ ଯବାନଙ୍କ ଲାଗି ତାଜା ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଣ ଲାଗି ସପ୍ଲାୟର ଜଣକ ଚୁକ୍ତିବଦ୍ଧ ହୋଇଥିଲେ ହେଁ ସେ ଏହି ସାମଗ୍ରୀ ଚୟନ କରୁଥିବା ସେନା ଅଧିକାରୀ ଓ କର୍ମଚାରୀଙ୍କୁ ଲାଞ୍ଚ ଦେଇ ନିମ୍ନମାନର ସାମଗ୍ରୀ ଯୋଗାଇ ଥିଲେ। ଏହା ଧରାପଡ଼ିବା ପରେ ସେନା ପକ୍ଷରୁ ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା।

ସମ୍ବନ୍ଧିତ ଖବର