‘ମୋ ଭାଇକୁ ହତ୍ୟା କରାଯିବ ବୋଲି ଧମକ ପାଇବା ପରେ ଦୋଷ ସ୍ୱୀକାର କରିବାକୁ ବାଧ୍ୟହେଲି’: ପ୍ରଦ୍ୟୁମ୍ନ ହତ୍ୟା ଅଭିଯୁକ୍ତ

‘ମୋ ଭାଇକୁ ହତ୍ୟା କରାଯିବ ବୋଲି ଧମକ ପାଇବା ପରେ ଦୋଷ ସ୍ୱୀକାର କରିବାକୁ ବାଧ୍ୟହେଲି’: ପ୍ରଦ୍ୟୁମ୍ନ ହତ୍ୟା ଅଭିଯୁକ୍ତ

ଗୁରୁଗ୍ରାମ: ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲାରେ ଗିରଫ ହୋଇଥିବା ସେହି ସ୍କୁଲର ଏକାଦଶ ଶ୍ରେଣୀ ଛାତ୍ରର ପିତା ସିବିଆଇ ନିଜ ପୁଅକୁ ଓଲଟା ଝୁଲାଇ ନିର୍ଯାତନା ଦେଉଥିବା ନେଇ ଗତ ଶନିବାର ଅଭିଯୋଗ କରିଥିଲେ। ତେବେ ମଙ୍ଗଳବାର ଗିରଫ ଅଭିଯୁକ୍ତ ଛାତ୍ର ସିବିଆଇ ଉପରେ ଅଭିଯୋଗେ ଆଣି କହିଛି ଯେ, ସିବିଆଇ ମୋର ଭାଇକୁ ମାରିବା ପାଇଁ ଧମକ ଦେଉଛି। ଏହି ଧମକ ଦେଇ ପ୍ରଦ୍ୟୁମ୍ନକୁ ହତ୍ୟା କରିଥିବାର ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରୁଛନ୍ତି। ମୁଁ ମୋର ଭାଇକୁ ବହୁତ ଭଲ ପାଏ, ତା’ ବିଷୟରେ ଏପରି କିଏ କହିଲେ ମୁଁ ସମ୍ଭାଳି ପାରିବି ନାହିଁ। ଏଥିସହିତ ମୋତେ ବହୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦିଆଯାଇଛି ବୋଲି ଶିଶୁ ସୁରକ୍ଷା ଅଧିକାରୀ ରିନୁ ସାଇନାଙ୍କୁ ଅଭିଯୁକ୍ତ ଛାତ୍ର ଏକଥା କହିଛନ୍ତି।

ସୂଚନାଯୋଗ୍ୟ, ର‍୍ୟାନ୍‌ ଇଣ୍ଟାନ୍ୟାସନାଲ୍‌ ସ୍କୁଲ୍‌ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏକାଦଶ ଶ୍ରେଣୀର ଛାତ୍ରକୁ ସିବିଆଇ ଧରିବା ପରେ ତାକୁ ନୂଆଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ହାଜର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତକୁ ଜେରାରୁ ମିଳିଥିବା ତଥ୍ୟ ଆଧାରରେ ସିବିଆଇ ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତକୁ ଠାବ କରିଛି। ଏହି ଘଟଣାରେ ଆଉ ଜଣେ ଛାତ୍ର ବି ସମ୍ପୃକ୍ତ ବୋଲି ସିବିଆଇ ଅଧିକାରୀମାନେ କହିଛନ୍ତି।

ଅନ୍ୟପକ୍ଷରେ ଅଭିଯୁକ୍ତର ପିତା ଗତ ଶନିବାର ଗଣମାଧ୍ୟମକୁ ସାକ୍ଷାତ କରି କହିଛନ୍ତି, ‘ମୋ ପୁଅକୁ ଓଲଟା ଝୁଲାଇ ଅମାନୁଷିକ ଭାବେ ମାଡ ମାରାଯାଉଛି, କିନ୍ତୁ ମୋର ପୁଅ ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଦୋଷ । ଯଦି ମୋର ପୁଅ ପ୍ରଦ୍ୟୁମ୍ନର ହତ୍ୟା କରିଛି ତେବେ ସେ ସାଧାରଣ ବ୍ୟବହାର କାହିଁକି କରୁଛି। ଆପଣ ଭାବି ପାରୁଛନ୍ତି ଜଣେ ହତ୍ୟା କରି ସାମାନ୍ୟ ବ୍ୟବହାର କେବେ କରି ପାରିବ କି? ଏପରି କେହି ବି କରି ପାରିବେ ନାହିଁ। ତେଣୁ ମୋ ପୁଅ ପ୍ରଦ୍ୟୁମ୍ନକୁ ହତ୍ୟା କରି ନାହିଁ। ସ୍କୁଲରେ ମୋର ପୁଅର ଭଲ ପ୍ରଦର୍ଶନର ସାର୍ଟିଫିକେଟ ଅଛି। ଶିକ୍ଷକମାନେ ମୋର ପୁଅର ବ୍ୟବହାରକୁ ନେଇ ସର୍ବଦା ପ୍ରଶଂସା କରି ଆସିଛନ୍ତି।

ସିବିଆଇ ଦାବି କରିଛି କି, ଅଭିଯୁକ୍ତ ପିଟିଏମ୍‌ ଓ ପରୀକ୍ଷା ରୋକିବା ପାଇଁ ପ୍ରଦ୍ୟୁମ୍ନର ହତ୍ୟା କରିଥିଲା। ତେବେ ଅଭିଯୁକ୍ତଙ୍କୁ କୌଣସି ପ୍ରକାର ନିର୍ଯାତନା ଦିଆଯାଉନାହିଁ ବୋଲି ସିବିଆଇ ଅଭିଯୁକ୍ତ ପିତାଙ୍କ ଏହି ବୟାନକୁ ଖଣ୍ଡନ କରିଛି। ଅନ୍ୟପକ୍ଷରେ ଜୁବେନାଇଲ ଜଷ୍ଟିସ ବୋର୍ଡ (ଜେଜେବି) ଅଭିଯୁକ୍ତ ଛାତ୍ରଙ୍କୁ ପଚରାଉଚରା ସମୟରେ ସମୟ ଉଲଘନ୍ନ କରିଥିବା ନେଇ ସିବିଆଇକୁ ରିପୋର୍ଟ ମାଗିଛି। ନଭେମ୍ବର ୨୨ରେ ମାମଲାର ଆଗାମୀ ଶୁଣାଣି ହେବ।

ଗତ ସେପ୍ଟେଟର ୮ ତାରିଖରେ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ଟଏଲେଟେରେ ୭ ବର୍ଷୀୟ ପ୍ରଦ୍ୟୁମ୍ନକୁ ତଣ୍ଟିକାଟି ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଏହି ଘଟଣାରେ ସିବିଆଇ ମୁଖ୍ୟ ଅଭିଯୁକ୍ତ ଛାତ୍ରକୁ ବିଭିନ୍ନ ସ୍ଥାନକୁ ନେଇ ପଚରାଉଚୁରା କରିବା ସହ ଘଟଣାର ସ୍ପଷ୍ଟ ଚିତ୍ର ଜାଣିବାକୁ ପ୍ରୟାସ ଜାରି ରଖିଛି। ଅପରପକ୍ଷେ ହରିୟାଣା ପୁଲିସ ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ବଳପୂର୍ବକ ଦୋଷୀ ଦର୍ଶାଇଥିବାରୁ ଅଶୋକଙ୍କ ପରିବାର ଏବେ ଗୁରୁଗ୍ରାମ୍‌ ପୁଲିସ ଏବଂ ସ୍କୁଲ୍‌ ମ୍ୟାନେଜମେଣ୍ଟ୍‌ ବିରୋଧରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।

 

ସମ୍ବନ୍ଧିତ ଖବର