ମହିଳାଙ୍କ ବେକରୁ ଚେନ୍‌ ଲୁଟ୍‌

ଭୁବନେଶ୍ୱର : କ୍ୟାପିଟାଲ ଥାନା ଅଧୀନ ୟୁନିଟ-୨ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କ। ବୟସ୍କା ମହିଳାମାନେ ଏବେ ଲୁଟେରାଙ୍କ ଟାର୍ଗେଟରେ। ଆଜି ଦିନ ଦି ପ୍ରହରରେ ଜଣେ ମହିଳାଙ୍କ ବେକରୁ ଦୁଇ ଜଣ ଦୁର୍ବୃତ୍ତ ଚେନ୍‌ ଝାମ୍ପି ନେଇଛନ୍ତି। ଏ ନେଇ ସଂପୃକ୍ତ ମହିଳା ଶରଳା ଷଡ଼ଙ୍ଗୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଶରଳା ୟୁନିଟ-୨ ଅଞ୍ଚଳରେ ରୁହନ୍ତି। ଆଜି ଦିନ ୨ଟା ବେଳେ ସେ ତାଙ୍କ ପତି ଜଗତବନ୍ଧୁ ନନ୍ଦଙ୍କ ସହିତ ଆକ୍ଟିଭାରେ ଇନ୍ଦରା ପାର୍କ ଆଡ଼େ ଯାଉଥିଲେ। ଏହି ସମୟରେ ଏକ କଳାରଙ୍ଗର ପଲସର୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କ ବେକରେ ଥିବା ଦେଢ଼ ଭରି ଓଜନର ସୁନାଚେନ୍‌ ଝାମ୍ପି ନେଇଥିଲେ। ଜଗତବନ୍ଧୁ ଲୁଟେରାମାନଙ୍କ ପିଛା କରିଥିଲେ ମଧ୍ୟ ସେମାନେ ଆଖି ପିଛୁଳାକେ ଗାଏବ ହୋଇ ଯାଇଥିଲେ। ଜଗତବନ୍ଧୁ ଏ ନେଇ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ମଧ୍ୟ ଖବର ଦେଇଥିଲେ। ତେବେ କ୍ୟାପିଟାଲ ଥାନା ପୁଲିସ ଶରଳାଙ୍କ ଅଭିଯୋଗକୁ ଗ୍ରହଣ କରିଛି, କିନ୍ତୁ ଏଯାଏ ଏତଲା କପି ପ୍ରଦାନ କରିନାହିଁ ବୋଲି ଜଗତବନ୍ଧୁ କହିଛନ୍ତି।

ସମ୍ବନ୍ଧିତ ଖବର