ମହିଳାଙ୍କ ବେକରୁ ଚେନ୍‌ ଝାମ୍ପିନେଲେ

ଖଣ୍ଡଗିରି : ସୋମବାର ସକାଳ ପ୍ରାୟ ୬ଟାବେଳେ ପାତ୍ରପଡ଼ା ଅଞ୍ଚଳରୁ ଦୁଇ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇଛନ୍ତି। ଏ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ କଳିଙ୍ଗବିହାର କେ-୯ରେ ରହୁଥିବା ଲକ୍ଷ୍ମୀନାରାୟଣ ଦାସ ଓ ତାଙ୍କ ସ୍ତ୍ରୀ ପ୍ରମୋଦିନୀ ସକାଳେ ମର୍ଣିଂ ଓ୍ଵାକ୍‌ରେ ବାହାରିଥିଲେ। ଲକ୍ଷ୍ମୀନାରାୟଣ ଅସୁସ୍ଥ ଥିବାରୁ ପ୍ରମୋଦିନୀ ତାଙ୍କୁ ଧରି ଧୀରେ ଧୀରେ ଚାଲୁଥିଲେ। ସେମାନେ ସ୍ଥାନୀୟ ଏକ ବ୍ୟାଙ୍କ ନିକଟରେ ପହଞ୍ଚିଥିବାବେଳେ ହଠାତ୍‌ ଏକ ବାଇକ୍‌ ସେମାନଙ୍କ ନିକଟରେ ଅଟକିଥିଲା। ବାଇକ୍‌ରେ ଥିବା ଦୁଇ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଓହ୍ଲାଇ ପଡ଼ି ଅତର୍କିତଭାବେ ପ୍ରମୋଦିନୀଙ୍କ ବେକରୁ ସୁନାଚେନ୍‌ଟି ଝାମ୍ପି ନେଇଥିଲା। କିନ୍ତୁ ସେ ବିକଳରେ ଚେନ୍‌କୁ ଜାବୁଡ଼ି ଧରି ପକାଇବାରୁ ଚେନ୍‌ଟି ଛିଡ଼ି ଯାଇଥିଲା ଓ ଖଣ୍ଡେ ତାଙ୍କ ହାତରେ ରହି ଯାଇଥିଲା। ଦୁର୍ବୃତ୍ତଜଣଙ୍କ ରାଗି ଯାଇ ଲକ୍ଷ୍ମୀନାରରୟଣଙ୍କ ମୁଣ୍ଡରେ ଏକ ମାରଣାସ୍ତ୍ର ଲଗାଇ ଛିଡ଼ି ଯାଇଥିବା ଟୁକୁଡ଼ାକୁ ଦେଇ ଦେବାକୁ ଧମକ ଦେଇଥିଲା। ତେଣୁ ଭୟରେ ପ୍ରମୋଦିନୀ ଦୁର୍ବୃତ୍ତ ହାତକୁ ଉକ୍ତ ଟୁକୁଡ଼ାକୁ ବଢ଼ାଇ ଦେଇଥିଲେ।

ସମ୍ବନ୍ଧିତ ଖବର