ମହିଳାଙ୍କ ବେକରୁ ଚେନ୍ ଝାମ୍ପିନେଲେ

ଖଣ୍ଡଗିରି: ଗୁରୁବାର ଅପରାହ୍‌ଣ ପ୍ରାୟ ୧ଟା ବେଳେ ସ୍ଥାନୀୟ ନାକାଗେଟ୍‌ ନିକଟରୁ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା‌ଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ ଡୁମୁଡୁମା ହାଉସିଂବୋର୍ଡ କଲୋନିର ବାସିନ୍ଦା ସ୍ବାଗତିକା ମହାପାତ୍ର। ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବା ଉଦ୍ୟମ କରିଛି। କିନ୍ତୁ ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇ ନଥିବା ଜଣାପଡ଼ିଛି। ସୂଚନାନୁସାରେ ସ୍ବାଗତିକା ଓ ତାଙ୍କ ସ୍ବାମୀ ପ୍ରଶାନ୍ତ ପୀୟୂଷ ମହାପାତ୍ର ଏକ ଆକ୍ଟିଭାରେ ଖଣ୍ଡଗିରିରୁ କଳିଙ୍ଗନଗର ଯାଉଥିଲେ। ସେମାନେ ଜୟଦେବ ବାଟିକା ଚାରି ଛକ ପାର୍ ହୋଇ ନାକା ଗେଟ୍‌ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ଏକ ବାଇକ୍‌ରେ ପଛରେ ବସିଥିବା ଦୁର୍ବୃତ୍ତ ସ୍ବାଗତିକାଙ୍କ ବେକରୁ ସୁନା ଚେନ୍‌ଟି ଝାମ୍ପି ନେଇଥିଲା। ଦୁର୍ବୃତ୍ତମା‌ନେ ଦ୍ରୁତବେଗରେ ଭରତପୁର ଛକ ଆଡ଼କୁ ପଳାଇଥିଲେ। ସ୍ବାଗତିକା ଚୋର ଚୋର ବୋଲି ପାଟି କଲାବେଳକୁ ଦୁଇ ଦୁର୍ବୃତ୍ତ ନାକା ଗେଟ୍‌ ପାର୍ ହୋଇ ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ହେଲା ୧୬ ନମ୍ବର ଜାତୀୟ ରାଜପଥ ଓ ଖଣ୍ଡଗିରି ଅଞ୍ଚଳରେ ଏଭଳି ରାହାଜାନୀ ଓ ଛିନତାଇ ବଢ଼ିବାରେ ଲାଗିଛି। ଗତ ଦୁଇ ଦିନରେ ତମାଣ୍ଡୋ ଓଭରବ୍ରିଜ୍ ଉପରେ ଦୁର୍ବୃତ୍ତମାନେ ଦୁଇ ଦୁଇଟି ଛିନ୍‌ତାଇ କରି ସାରିଲେଣି। ତେଣୁ ଆଜିର ଏହି ଲୁଟ୍‌ ପରେ ଏହି ସବୁ କାଣ୍ଡ ସମାନ ତରିକାରେ ହୋଇଥିବା ଜଣାପଡ଼ିଛି ଓ ଏଥିରେ ଗୋଟିଏ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ର ହାତ ଥିବା ପୁଲିସ ସନ୍ଦେହ କରୁଛି। ଏହି ଗ୍ୟାଙ୍ଗ୍‌ ଉଭୟ ଖଣ୍ଡଗିରି, ତମାଣ୍ଡୋ ଓ ଯାଁଳା ଅଞ୍ଚଳରେ ସକ୍ରିୟ ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର